ନୂଆଦିଲ୍ଲୀ: ଆମେ ଜାଣିଛେ ଚାକିରୀ ପାଇଁ ଇଣ୍ଟରଭିୟୁ ଦିଆଯାଏ। କିନ୍ତୁ ବିବାହ ପାଇଁ ବି ଇଣ୍ଟରଭିୟୁ ଦିଆଯାଏ ବୋଲି କେବେ ଶୁଣିଛନ୍ତି କି? କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ଏଭଳି ଏକ ବିରଳ ତଥା ଅଜବ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି। ଘଟଣାଟି କେବଳ ରାଜସ୍ଥାନରେ ନୁହେଁ, ସାରା ଦେଶ‌ରେ ଚର୍ଚ୍ଚିତ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

୧୧ ସୁନ୍ଦରୀ କନ୍ୟାଙ୍କ ପାଇଁ ଖୋଜା ଲାଗିଥିଲା ସରକାରୀ ଚାକିରିଆ ବର, କିନ୍ତୁ ମିଳିଥିଲେ ୧୯ ଶହ ବର... ଏହା ହିଁ ସତ। ଘଟଣାଟି ଏପରି ଥିଲା କି ବିବାହ ପାଇଁ ପ୍ରଥମେ ବରର ପ୍ରମାଣପତ୍ର ମଗାଯାଇଥିଲା ପରେ ଇଣ୍ଟରଭିୟୁ ହୋଇଥିଲା। ଜୟପୁର, ଡିଡ଼ୱାନା, ଝୁନ୍ଝୁନୁ କୋଟା ଓ ବାରନରୁ ୧୯ ଶହରୁ ଅଧିକ ଯୁବକ ପ୍ରମାଣପତ୍ର ଆଣିବା ସହ ବର ହେବା ପାଇଁ ଦାବି କରିଥିଲେ। ପ୍ରଥମେ ସେମାନଙ୍କର ପରିବାରର ତଦନ୍ତ କରାଯାଇଥିଲା। ପରେ ସେମାନଙ୍କର ସରକାରୀ ଚାକିରୀ କି ନୁହେଁ  ଓ କେତେ ଟଙ୍କା ରୋଜଗାର କରୁଛନ୍ତି ଯାଞ୍ଚ କରାଯାଇଥିଲା । ତା'ପରେ ହେଲା ''ଲଭ-କମ୍-ସରକାରୀ ବିବାହ''।

ଏସବୁ ରାଜ୍ୟ ସରକାରଙ୍କ ମହିଳା ସଦନରେ ଘଟିଥିଲା। ଯାହାକି ସେଠାରେ ରହୁଥିବା ଅବହେଳିତ, ନିର୍ଯ୍ୟାତିତ ଓ ଅସହାୟ ଝିଅମାନଙ୍କୁ ପୁଣିଥରେ ଖୁସିରେ ରଖିବା ପାଇଁ ଏହି ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଏହି ସଦନରେ ରହୁଥିବା ୧୧ ଜଣ ଝିଅଙ୍କ ବିବାହ ହେବାର ଥିଲା। କିନ୍ତୁ ବିବାହ କରିବା ପାଇଁ ୧୯ ଶହ ବରଙ୍କ ଲମ୍ବା ଲାଇନ ଲାଗିଥିଲା। ପରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ମାସ ମାସ ତଦନ୍ତ ପରେ ୧୯ ଶହ ଯୁବକଙ୍କ ମଧ୍ୟରୁ ୧୧ ଜଣଙ୍କୁ ବଛା ଯାଇଥିଲା। ପରେ ୧୧ ଯୋଡ଼ାଙ୍କ ବିବାହ ହୋଇଥିଲା। ସେଥିରୁ ୬ ଜଣ ଜୟପୁରର, ବାକି ୨ ଜଣ ଡିଡ଼ୱାନାର ଥିବାବେଳେ ଆଉ ବାକି ଝୁନ୍ଝୁନୁ କୋଟା ଓ ବାରନର ଯୁବକ ଥିଲେ।

ଏହା ବିବାହ ନୁହେଁ, ଏହା ଏକ ନୂଆ ଆରମ୍ଭ ...ରାଜ୍ୟ ସରକାର ଏହି ସବୁ କାର୍ଯ୍ୟକ୍ରମକୁ 'ଜୀବନ ପୁନର୍ବାସ' ବୋଲି କହିଛନ୍ତି। ଝିଅମାନଙ୍କ ପାଇଁ ନୂଆ ଜୀବନ ଆରମ୍ଭ କରିବାର ଏକ ସୁଯୋଗ। ସେଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ନିଜେ ନବବିବାହିତ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିବାକୁ ଆସିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା ମହିଳା ସଦନରରେ ସରକାର ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ବିବାହ ଆୟୋଜନ କରିସାରିଛନ୍ତି। କୋର୍ଟ, ପୁଲିସ ଓ କୌଣସି କାରଣରୁ ସଦନକୁ ଆସିଥିବା ଏହି ଝିଅମାନଙ୍କୁ ସମାଜରେ ସମ୍ମାନ ଓ ନୂଆ ଜୀବନ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। 

''ଏହି ବିଷୟ କେବଳ ବିବାହ ଉପରେ ନଥିଲା, ଏହା ଏକ ନୂଆ ଜୀବନ ଆରମ୍ଭ କରିବାର ବିଷୟ ଉପରେ ଥିଲା। ଯେଉଁଠାରେ ସରକାର, ସମାଜ ଓ ସମ୍ବେଦନଶୀଳତା ମିଳିମିଶି ନୂତନ ଭବିଷ୍ୟତ ପାଇଁ ଏକ ନୂଆ ଅଧ୍ୟାୟ ଗଢୁଛନ୍ତି।''