ରାଜ୍ୟସଭାରେ ମନ୍ତ୍ରୀଙ୍କ ସୂଚନା: ବଳକା ଚାଉଳ ସଂଗ୍ରହରେ କଟକଣା ନାହିଁ

ମାର୍ଚ ୧୫ ସୁଦ୍ଧା ୫୬.୧୯ ଲକ୍ଷ ଟନ ଚାଉଳ ସଂଗ୍ରହ

ନୂଆଦିଲ୍ଲୀ : ୨୦୨୧-୨୨ ଖରିଫ ମାର୍କେଟିଂ ସିଜିନରେ ମାର୍ଚ ୧୫, ୨୦୨୨ ସୁଦ୍ଧା ୫୬.୧୯ ଲକ୍ଷ ଟନ ଚାଉଳ ଓଡ଼ିଶାରୁ ସଂଗ୍ରହ ହୋଇଛି। କେନ୍ଦ୍ର ସରକାର ରାଜ୍ୟରୁ ବଳକା ଚାଉଳ ଉଠାଣ ନେଇ କୌଣସି କଟକଣା ଜାରି କରିନାହାନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବିତରଣ ରାଷ୍ଟ୍ରମନ୍ତ୍ରୀ ସ୍ବାଧ୍ବୀ ନିରଞ୍ଜନା ଜ୍ୟୋତି।

ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ‘କେନ୍ଦ୍ରୀୟ ପୁଲ’ରେ ଓଡ଼ିଶାରୁ ୨୦୧୬-୧୭ ଖରିଫ୍‌ ମାର୍କେଟିଂ ସିଜିନ୍‌ରେ ୧୬.୦୯ ଲକ୍ଷ ଟନ୍‌, ୨୦୧୭-୧୮ ରେ ୧୨.୩୬ ଲକ୍ଷ ଟନ, ୨୦୧୮-୧୯ ରେ ୧୭.୮୩ ଲକ୍ଷ ଟନ୍‌, ୨୦୧୯-୨୦ରେ ୧୭.୨୧ ଲକ୍ଷ ଟନ ଓ ୨୦୨୦-୨୧ରେ ୧୮.୯୯ ଲକ୍ଷ ଟନ ବଳକା ଚାଉଳ ଏଫ୍‌ସିଆଇ ଦ୍ବାରା ଉଠାଣ ହୋଇଥିଲା। ଓଡ଼ିଶାରେ ବିକେନ୍ଦ୍ରୀକରଣ ସଂଗ୍ରହ ବ୍ୟବସ୍ଥା ରହିଛି। ରାଜ୍ୟର ଆବଶ୍ୟକତା ପୂରଣ ହେବା ପରେ କମ ଉତ୍ପାଦନ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ପୁଲରୁ ଏଫସିଆଇ ଅତିରିକ୍ତ ଚାଉଳ ବିତରଣ କରିଥାଏ।

ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କ ମଧ୍ୟରେ ହୋଇଥିବା ଏମ୍‌ଓୟୁରେ ସ୍ପଷ୍ଟ ରହିଛି, ରାଜ୍ୟ ସରକାରଙ୍କ ଦ୍ବାରା କିଣା ଯାଇଥିବା ଚାଉଳ ପିଡିଏସ୍‌ ଏବଂ ଓଡବ୍ୟୁଲୁଏସ୍‌ ଆବଣ୍ଟନ ଠାରୁ ଅଧିକ ହେଲେ ବଳକା ଚାଉଳକୁ ‌ରାଜ୍ୟ ସରକାର ଏଫ୍‌ସିଆଇକୁ ହସ୍ତାନ୍ତର କରିପାରିବେ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ନଭେମ୍ବର ୩, ୨୦୨୧ରେ ଓଡ଼ିଶା ସରକାରଙ୍କୁ ଏକପତ୍ର ଲେଖିଥିଲେ। ଖରିଫ ମାର୍କେଟିଂ ସିଜନ ୨୦୨୧-୨୨ ଅବଧିରେ ୫ ଲକ୍ଷ ଟନ ଉଷୁନା ଚାଉଳ ଏଫସିଆଇକୁ ଦେବାପାଇଁ ଓଡ଼ିଶାକୁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର