ବୁଲା କୁକୁରଙ୍କୁ ଖାଇବାକୁ ଦେଲେ ଜରିମାନା ହେବନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କୁ ଜରିମାନା କରିବାପାଇଁ ବମ୍ବେ ହାଇକୋର୍ଟ ନିକଟରେ ଏକ ରାୟ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ଏହି ରାୟକୁ ବଦଳାଇ ଦେଇଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି, ବୁଲା କୁକୁରଙ୍କୁ ସର୍ବସାଧାରଣ ସ୍ଥଳରେ ଖାଇବାକୁ ଦେଇ ହେବ ଏବଂ ବୁଲା କୁକୁରଙ୍କୁ ଖାଇବାକୁ ଦେଲେ କୌଣସି ଜରିମାନା ହେବନାହିଁ। କିନ୍ତୁ ଏହାଦ୍ବାରା ସାଧାରଣ ଲୋକଙ୍କର କୌଣସି ଅସୁବିଥା ନ‌ହେବା ଉଚିତ।

କୋର୍ଟ କହିଛନ୍ତି, ଯଦି ବୁଲା କୁକୁରଙ୍କୁ ଖାଇବାକୁ ଦେଇ କେହି ସାଧାରଣ ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବେ ତେବେ ପୌର ନିଗମ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ନାଗପୁର ପୌର ନିଗମ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାପାଇଁ ସାଧାରଣ ଲୋକଙ୍କୁ ଅନୁମତି ଦେବାପାଇଁ କୋର୍ଟ କହିଛନ୍ତି। ଅନ୍ୟପ‌କ୍ଷେ କୋର୍ଟ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଛନ୍ତି। ବମ୍ବେ ହାଇକୋର୍ଟ ନିକଟ‌ରେ ରାୟ ଦେଇ କହିଥିଲେ ଯେ, ବୁଲା କୁକୁରଙ୍କୁ ଯେଉଁମାନେ ଖାଇବାକୁ ଦେବାକୁ ଚାହୁଛନ୍ତି ସେମାନେ ବୁଲା କୁକୁରଙ୍କୁ ପୋଷା ଭାବେ ଗ୍ରହଣ କରନ୍ତୁ । ତେବେ ବିନା କୌଣସି ବାଧାରେ କିଭଳି ବୁଲା କୁକୁରଙ୍କୁ ଖାଇବାକୁ ଦିଆଯିବ ସେନେଇ ପ୍ରକ୍ରିୟା ପ୍ରସ୍ତୁତ କରିବାପାଇଁ କୋର୍ଟ ଏନ୍‌ଏମସିକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ବୁଲା କୁକୁର ଭୋକିଲା ରହିବା ଉଚିତ ନୁହେଁ।

ଉଲ୍ଲେଖଯୋଗ୍ୟ, ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଗତମାସରେ ନାଗପୁର କର୍ତ୍ତୃପକ୍ଷଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ବୁଲା କୁକୁରଙ୍କୁ ରାସ୍ତାରେ ଏବଂ ସର୍ବସାଧାରଣରେ ଖାଇବାକୁ ଦେଉଥିବା ଲୋକଙ୍କୁ ଜରିମାନା କରାଯିବା ଉଚିତ। ଜରିମାନା ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର