ମୋଦିଙ୍କ ୨.୦ କ୍ୟାବିନେଟ୍‌ର ଚର୍ଚ୍ଚିତ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର: ଜାଣନ୍ତୁ, ଅବସରପ୍ରାପ୍ତ ସଚିବ କେମିତି ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟ୍‌ରେ ଏବେ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଛନ୍ତି ନୂତନ ବୈଦେଶିକ ମନ୍ତ୍ରୀ ତଥା ସଫଳ କୂଟନୀତିଜ୍ଞ ଏସ୍‌ ଜୟଶଙ୍କର। ପ୍ରଧାନମନ୍ତ୍ରୀ ମୋଦିଙ୍କ ୧.୦ କ୍ୟାବିନେଟ୍‌ରେ ସଫଳ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ୱରାଜଙ୍କ ସ୍ଥାନରେ ମାତ୍ର କେଇ ଘଣ୍ଟା ମଧ୍ୟରେ, ମୋଦିଙ୍କ ୨.୦ କ୍ୟାବିନେଟରେ ଏସ୍‌ ଜୟଶଙ୍କର ଯେପରି ଅତର୍କିତ ଓ ଆକସ୍ମିକ ଭାବେ ଆସି ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଅଧିଷ୍ଠିତ ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଚର୍ଚ୍ଚା ଓ ଆଲୋଚନା ଏଯାବତ୍‌ ଥମି ନାହିଁ।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ୧.୦ ଶାସନ କାଳରୁ ସବୁବେଳେ ବୈଦେଶିକ ମନ୍ତ୍ରାଳୟକୁ ମାତ୍ରାଧିକ ଗୁରୁତ୍ୱ ଦେଇ ଆସିଥିଲେ। ଏବଂ ଏଥିରେ ୧.୦ରେ ବୈଦେଶିକ ମନ୍ତ୍ରୀ ଥିବା ବିଜେପିର ତୁଙ୍ଗ ନେତ୍ରୀ ସୁଷମା ସ୍ୱରାଜ ମଧ୍ୟ ତାଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗ ଦେଇଥିଲେ। ଏ ପରିପ୍ରେକ୍ଷୀରେ ନିଜର ୨.୦ ଶାସନ କାଳରେ ବୈଦେଶିକ ବ୍ୟାପାର ବିଭାଗ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଆହୁରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ତେବେ, ନିଜର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ୧.୦ରେ ବୈଦେଶିକ ମନ୍ତ୍ରୀ ଥିବା ୨.୦ କ୍ୟାବିନେଟ୍‌ରେ ମନ୍ତ୍ରୀ ରହିପାରବେ ନାହିଁ ବୋଲି ଜଣାଇ ଦେବାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିନ୍ତା ବଢ଼ି ଯାଇଥିଲା। ତଥାପି, ଶପଥ ଗ୍ରହଣର ଦିନକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ଦଳ ଅଧ୍ୟକ୍ଷ ଅମିତ୍‌ ଶାହା ତାଙ୍କୁ ବହୁ ବୁଝାସୁଝା କରାଇ ୨.୦ କ୍ୟାବିନେଟ୍‌ରେ ମନ୍ତ୍ରୀ ରହିବା ପାଇଁ ରାଜି କରାଇଥିଲେ। ବହୁ ବାଧ୍ୟବାଧକତା ପରେ ସୁଷମା ଏଥିପାଇଁ ରାଜି ହୋଇଥିଲେ ମଧ୍ୟ। ପରେ ମୋଦିଙ୍କ ୨.୦ କ୍ୟାବିନେଟ୍‌ରେ ସୁଷମା ମନ୍ତ୍ରୀ ଭାବେ ରହୁଥିବା ଗଣମାଧ୍ୟମକୁ ସୂଚନା ଦିଆ ଯାଇଥିଲା। ହେଲେ କ’ଣ ହେଲା କେଜାଣି ଗୁରୁବାର ପପରାହ୍ଣ ପ୍ରାୟ ୩ଟା ବେଳକୁ, ଯେତେବେଳକୁ ଶପଥ ଗ୍ରହଣ ପାଇଁ ହାତରେ ଆଉ ମାତ୍ର ୪ ଘଣ୍ଟାର ସମ୍ରୟ ବାକି, ସୁଷମା ମୋଦିଙ୍କୁ ଜଣାଇଦେଲେ, ସେ ୨.୦ କ୍ୟାବିନେଟରେ ମନ୍ତ୍ରୀ ଦାୟିତ୍ୱ ମୁଣ୍ଡାଇବାକୁ ଅସମର୍ଥ।

ଏହା ଶୁଣି ମୋଦି ଚିନ୍ତାରେ ପଡ଼ିଲେ, ବୈଦେଶିକ ମନ୍ତ୍ରାଳୟ ଦାୟିତ୍ୱ ଦେବେ କାହାକୁ? କାରଣ, ମୋଦିଙ୍କ ନଜରରେ ସୁଷମାଙ୍କ ବ୍ୟତୀତ ଆଉ ଦ୍ୱିତୀୟ କେହି ବିକଳ୍ପ ନଥିଲେ ଯିଏ କି ବୈଦେଶିକ ମନ୍ତ୍ରାଳୟର ଗୁରୁ ଦାୟିତ୍ୱକୁ ସମ୍ଭାଳି ପାରବେ। ଏ ପରିସ୍ଥିତିରେ ମୋଦିଙ୍କ ମନକୁ ସୁଷମାଙ୍କ ବିକଳ୍ପ ଭାବେ ନଜର ଆସିଲେ କୂଟନୀତିଜ୍ଞ ଏସ୍‌ ଜୟଶଙ୍କର। ପ୍ରାୟ ସାଢ଼େ ୪ଟା ବେଳେ ମୋଦି ଫୋନ୍‌ କଲେ ଜୟଶଙ୍କରଙ୍କୁ। କହିଲେ, ଅବିଳମ୍ବେ ଆସି ତାଙ୍କୁ ଦେଖା କରିବାକୁ। ପ୍ରାୟ ୫ଟା ବେଳେ ଜୟଶଙ୍କର ଆସି ପହଞ୍ଚିଲେ ମୋଦିଙ୍କ ସରକାରୀ ନିବାସରେ। ମୋଦି ତାଙ୍କ ସହ ଆଲୋଚନା କଲାପରେ ତାଙ୍କୁ କହିଲେ ୨.୦ କ୍ୟାବିନେଟ୍‌ରେ ବୈଦେଶିକ ମନ୍ତ୍ରାଳୟ ସମ୍ଭାଳିବାକୁ।

ଏହା ଜୟଶଙ୍କରଙ୍କ ପାଇଁ ଏକ ସ୍ୱପ୍ନ ଠାରୁ କମ୍‌ ଥିଲା। ଏବଂ ଏଥିରେ ଅରାଜି ହେବାର କୌଣସି କାରଣ ମଧ୍ୟ ନଥିଲା। ମୋଦିଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପରେ ଜୟଶଙ୍କର ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳକୁ ମୋଦିଙ୍କ ସରକାରୀ ନିବାସରୁ ବାହାରି ସିଧାଯାଇ ପହଞ୍ଚିଥିଲେ ରାଷ୍ଟ୍ରପତି ଭବନରେ ମୋଦିଙ୍କ ୨.୦ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ। ପରିସ୍ଥିତି ସେତେବେଳେ ଏମିତି ଥିଲା ଯେ ଜୟଶଙ୍କର ନିଜର ପୋଷାକ ପରିବର୍ତ୍ତନ କରିବାକୁ ସମୟ ପାଇ ପାରି ନଥିଲେ। ଯେଉଁ ପୋଷାକ ପରିଧାନ କରି ମୋଦିଙ୍କୁ ଦେଖା କରିବାକୁ ଆସିଥିଲେ ସେଇ ପୋଷାକ ପିନ୍ଧି ମୋଦିଙ୍କ ୨.୦ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ନେଲେ ଜୟଶଙ୍କର।

ତେବେ କି’ଏ ଏହି କୂଟନୀତିଜ୍ଞ ଏସ୍‌ ଜୟଶଙ୍କର…

୬୩ ବର୍ଷ ବୟସ୍କ ଏସ୍‌ ଜୟଶଙ୍କର ପୂରା ନାମ ସୁବ୍ରମଣ୍ୟମ ଜୟଶଙ୍କର। ଏବଂ ସେ ହେଉଛନ୍ତି ଦେଶର ପୂର୍ବତନ ବୈଦେଶିକ ସଚିବ। ବିଗତ ୧୯୭୭ ସାଲରେ ଭାରତୀୟ ବୈଦେଶକ ସେବାର ଜଣେ ଅଧିକାରୀ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଜୟଶଙ୍କର ନିଜର ଅବସର ଗ୍ରହଣ ପର୍ଯ୍ୟନ୍ତ ଦୀର୍ଘ ୪ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ ଭାରତର ବୈଦେଶିକ ମନ୍ତ୍ରାଳୟରେ। ୨୦୧୫ ଜାନୁଆରିରୁ ୨୦୧୮ ଜାନୁଆରି, ଅବସର ଗ୍ରହଣ ପର୍ଯ୍ୟନ୍ତ ସେ ଥିଲେ ବୈଦେଶିକ ମନ୍ତ୍ରାଳୟର ସଚିବ। ବୈଦେଶିକ ମନ୍ତ୍ରାଳୟର ସଚିବ ଭାବେ ଅବସ୍ଥାପିତ ହେବା ପୂର୍ବରୁ ଚେକ୍‌ ରିପବ୍ଲିକ୍‌ (୨୨୦୧-୨୦୦୪), ଚୀନ୍‌ (୨୨୦୯-୨୦୧୩), ଯୁକ୍ତରାଷ୍ଟ୍ର ଆମେରିକା (୨୦୧୪-୨୦୧୫)ରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଥିଲେ। ଏଥିସହ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ସିଙ୍ଗାପୁରରେ ଭାରତୀୟ ହାଇକମିଶନର ରୂପେ ନିଯୁକ୍ତ ହୋଇଥିଲେ। ଭାରତ- ଆମେରିକା ଆଣବିକ ଚୁକ୍ତି ଓ ଡୋକ୍‌ଲାମ୍‌ ବିବାଦର ସମାଧାନରେ ଜୟଶଙ୍କରଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଜୟଶଙ୍କର ଅବସର ଗ୍ରହଣ ପରେ ମୋଦିଙ୍କ ୨.୦ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ଟାଟା ସନସ୍‌ର ଗ୍ଲୋବାଲ କର୍ପୋରେଟ୍‌ ଅଫେୟାର୍ସର ପେସିଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର