ଚଣ୍ଡୀଗଡ଼: ଚୋରି ହେଲା ୩୦୦କିଲୋ ଓଜନର ତୋପ। ଆଖିରୁ କଜଳ ଚୋରି କରିବା ଭଳି ବଡ଼ ସୁରକ୍ଷା ବଳୟ ମଧ୍ୟରୁ ୩୦୦କିଲୋ ଓଜନର ତୋପ ଚୋରି ହେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପଞ୍ଜାବରେ ଚୋରମାନେ ପୁଲିସର ନାକ ତଳେ ଏଭଳି କାମ କରି ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ପଞ୍ଜାବ ପୁଲିସ ଅଫିସର୍ସ ମେସରେ ଘଟିଛି। ଏହି ଘଟଣା କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇନାହିଁ, ବରଂ ଚୋରମାନଙ୍କ ସାହସ କେତେ ଅଧିକ ତାହା ଉପରେ ମଧ୍ୟ ଆଲୋଚନା ଚାଲିଛି।
ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିକ ଖବର ଅନୁଯାୟୀ, ଚଣ୍ଡିଗଡ଼ର ସେକ୍ଟର- ୧ରେ ଥିବା ପଞ୍ଜାବ ଆର୍ମଡ ପୁଲିସ (ପିଏପି)ର ଅଫିସର୍ସ ମେସ ପଞ୍ଜାବର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେ କରାଯାଏ। ହେଲେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥାଇ ମଧ୍ୟ ରାତି ଅଧରେ ଚୋରମାନେ ୩୦୦ କିଲୋଗ୍ରାମର ତୋପ ଚୋରାଇନେବା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି। ଚୋରଙ୍କ ଏଭଳି କାମ ଦେଖି ମୁଣ୍ଡରେ ହାତ ଦେଇଛନ୍ତି ପୁଲିସକର୍ମୀ।
୩ଫୁଟ ଲମ୍ବ ଏବଂ ୩୦୦କିଲୋଗ୍ରାମ ବିଶିଷ୍ଟ ଏହି ତୋପ ଶୁଦ୍ଧ ପିତ୍ତଳରେ ନିର୍ମିତ ହୋଇଥିଲା | ମେ ୧୭ରେ, ପଞ୍ଜାବ ସଶସ୍ତ୍ର ପୁଲିସର ୮୨ତମ ବାଟାଲିୟନର କମାଣ୍ଡାଣ୍ଟ ବଲୱିନ୍ଦର ସିଂଙ୍କ ଅଭିଯୋଗ ପରେ ଏକ ଏଫଆଇଆର ପଞ୍ଜୀକୃତ ହୋଇ ଘଟଣାର ତଦନ୍ତ ଚାଲିଛି। ଘଟଣାଟି ମେ’ ୫ର ମଧ୍ୟରାତ୍ରିରେ ଘଟିଥିବା ବେଳେ କିଭଳି ଭାବେ ଚୋର ଏତେ ଓଜନ ବିଶିଷ୍ଟ ତୋପକୁ ଚୋରି କଲେ, ତା’ର ଉତ୍ତର ଖୋଜୁଛି ପୁଲିସ।