ପୁରୀ/ନୂଆଦିଲ୍ଲୀ : ଶ୍ରୀମନ୍ଦିର ଐତିହ୍ୟ କରିଡର୍ ବିବାଦ ଦିଲ୍ଲୀରେ ପହଞ୍ଚିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି ବିଦ୍ୟାବତୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ନେବାକୁ ନିବେଦନ କରିଛନ୍ତି। ଶ୍ରୀଜଗନ୍ନାଥ ସେନା କର୍ମକର୍ତ୍ତାମାନେ ମଧ୍ୟ ବୁଧବାର ଦିନ ଦିଲ୍ଲୀରେ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି ବିଦ୍ୟାବତୀଙ୍କୁ ଭେଟି ମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିରୋଧରେ ଦାବିପତ୍ର ଦେଇଛନ୍ତି। ଏହି ବେଆଇନ୍ ଖନନ ଫଳରେ ଶ୍ରୀମନ୍ଦିରରେ ଏକାଧିକ ସ୍ଥାନରେ ଫାଟ ଦେଖାଦେଇଥିବା ଅଭିଯୋଗ କରି ଏହାର ସୁରକ୍ଷା ପାଇଁ ଅନୁରୋଧ ଜଣାଇଛନ୍ତି।
ବୁଧବାର ମଧ୍ୟାହ୍ନରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ଶ୍ରୀଜଗନ୍ନାଥ ସେନା କର୍ମକର୍ତ୍ତା ଡିଜିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବେଆଇନ ଖନନ ଓ ନିର୍ମାଣ ସଂପର୍କରେ ଅଭିଯୋଗ କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ଐତିହ୍ୟ କରିଡର ପ୍ରକଳ୍ପ ନାଁରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବେଆଇନ ଖନନ ଜାରିରହିଛି। ଏଏସ୍ଆଇ ଓ ଜାତୀୟ କୀର୍ତ୍ତି କର୍ତ୍ତୃପକ୍ଷ (ଏନ୍ଏମ୍ଏ)ଙ୍କ ଅନୁମତି ନ ନେଇ ବଡ଼ ବଡ଼ ଗାତ ଖୋଳାଯାଉଥିବାରୁ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟିହୋଇଛି। ପାଖାପାଖି ମାସେ ହେଲା ଖନନ କାର୍ଯ୍ୟ ଜୋର୍ସୋରରେ ଚାଲିଛି। ନିୟମ ଉଲ୍ଲଂଘନ କରି ଏହି ନିର୍ମାଣ କାର୍ଯ୍ୟ ଯୋଗୁଁ ମନ୍ଦିରର ଅନେକ କ୍ଷତି ଘଟିଛି। ଏହି ପ୍ରସଙ୍ଗକୁ ସେ ସଂସଦରେ ଉଠାଇବେ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହିତ,ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ ଖନନ ଓ ନିର୍ମାଣକୁ କୌଣସି ଅନୁମତି ଦିଆଯାଇ ନଥିବା ଏବଂ ସଂଶୋଧିତ ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ ) ଦିନେ ଦି’ଦିନ ମଧ୍ୟରେ ପହଞ୍ଚିଥିବା ପ୍ରସଙ୍ଗରେ ଆଲୋଚନାବେଳେ ଡିଜି ସୂଚନା ଦେଇଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।
ଅନ୍ୟପଟେ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଓ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ନିୟମ ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ହୋଇଥିଲେ ବି ଏଠାରେ ବେଆଇନ୍ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରକୃତ ତଥ୍ୟକୁ ଲୁଚାଇ ଭକ୍ତଙ୍କ ପାଇଁ ଶୌଚାଳୟ, କ୍ଲକ୍ରୁମ୍ ଆଦି ନିର୍ମାଣ ଆଳରେ ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଓ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଏହି ବେଆଇନ୍ ଖନନ ଓ ନିର୍ମାଣକୁ ଜୋରସୋରରେ ଚଳାଇଛନ୍ତି। ଭାଇବ୍ରେଟର, ଏକ୍ସାଭେଟର ଜରିଆରେ ଚତୁଃପାର୍ଶ୍ବରେ ୨୦ରୁ ୪୦ ଫୁଟ ଗର୍ତ୍ତ ସୃଷ୍ଟି ହେବା ଫଳରେ ଶ୍ରୀମନ୍ଦିର ବିପଦ ଭିତରକୁ ଠେଲି ହୋଇଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ଡିଜି ମନା କରିବା ପରେ ବି ଏହି କାର୍ଯ୍ୟ ଜାରି ରହିଛି। ଆମେ ବିକାଶ ବିରୋଧରେ ନାହୁଁ, କିନ୍ତୁ ବିକାଶ ନାଁରେ ଶ୍ରୀମନ୍ଦିର ଏଭଳି ବିନାଶ ନ କରା ନଯାଉ ବୋଲି ଡିଜିଙ୍କୁ ଲେଖି ଜଣାଯାଇଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।