ଭାରତ-ପାକିସ୍ତାନ ଅର୍ନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୫୬ କିଲୋ ୬୦୦ ଗ୍ରାମ ହେରୋଇନ୍ ଜବତ

ନୂଆଦିଲ୍ଲୀ:  ଭାରତୀୟ ସୀମା ସୁରକ୍ଷାବଳକୁ ବଡ ସଫଳତା ମିଳିଛି । ରାଜସ୍ଥାନ ବିକାନୋର ଜିଲ୍ଲା ସ୍ଥିତ ଭାରତ-ପାକିସ୍ତାନ ଅର୍ନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୫୬ କିଲୋ ୬୦୦ ଗ୍ରାମ ହେରୋଇନ୍ ଜବତ କରାଯାଇଛି । ଜବତ୍ ହୋଇଥିବା ହେରୋଇନର ଆନୁମାନିକ ବଜାର ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ବିଏସଏଫ୍ ପକ୍ଷରୁ କୁହାଯାଇଛି କି, ଏହା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ।

ଚୋରା ନିଶା ବେପାରୀମାନେ ସୀମା ସେପଟୁ ପିଭିସି ପାଇପ ଜରିଆରେ ଭାରତ ଭିତରକୁ ହେରୋଇନ ପଠାଇବାକୁ ଚେଷ୍ଟା କରୁଥିବା ବେଳେ ଅଧରାତିରେ ବିଏସଏଫ୍ ଯବାନମାନେ ମାଦକ ଦ୍ରବ୍ୟକୁ ଜବତ କରିବାରେ ସଫଳ ହୋଇଥିଲେ। କିନ୍ତୁ ବେପାରୀମାନେ ଫେରାର୍ ହୋଇଯାଇଥିଲେ।

ଏନେଇ ବିଏସଏଫ୍ ଆଇଜି ପୁଷ୍ପେନ୍ଦ୍ର ସିଂ କହିଛନ୍ତି କି, ସୀମାରେ ପାକିସ୍ତାନ ପଟୁ ଭାରତକୁ ମାଦକ ଦ୍ରବ୍ୟ ଯୋଗାଣ ହେଉଥିବା ନେଇ ସୂଚନା ଥିଲା । ତେଣୁ ସବୁ ଯବାନମାନେ ପ୍ରସ୍ତୁତ ଥିଲେ ।

ବୁଧବାର ରାତି  ୨ ଟାରେ ସାଜୁବାଲାର ବନ୍ଦଲି ପୋଷ୍ଟ ନିକଟରେ ଏଭଳି ମାଦକ ଦ୍ରବ୍ୟ କାରବାର ହେଉଥିବା ନେଇ ୧୨୭ ବାଟାଲିୟନକୁ ଆଭାସ ମିଳିଥିଲା । ଏହାପରେ ଯବାନମାନେ ଅନ୍ଧାର ଓ ତୋଫାନ ଭିତରେ  ହେରୋଇନ୍ ଜବତ କରିବାକୁ ସଫଳ ହୋଇଥିଲେ ବି ଚୋରା ବେପାରୀମାନେ ପଳାଇବାକୁ ସକ୍ଷମ ହୋଇଥିଲେ ।

ଏଭଳି ଘଟଣା ପରେ ଯବାନମାନେ ଚୋରଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିଲେ । ଏହାପରେ ଉଚ୍ଚଅଧିକାରୀଙ୍କ ନିର୍ଦ୍ଦେଶରେ ପୁଲିସ ଅଧିକ୍ଷକ ପ୍ରିତୀ ଚନ୍ଦା, ବିଏସଏଫ୍ ଓ ଏନସିବି ପକ୍ଷରୁ ଘଟଣା ସ୍ଥଳରେ ଯାଞ୍ଚ କରାଯାଇଥିଲା । ଏହାପରେ ବିଏସଏଫ୍ ଓ ପୁଲିସର ମିଳିତ ଅପରେସନରେ ଗୁରୁବାର ଦିନ ସାଜୁବାଲା ଛକ ନିକଟରୁ ୨ ଜଣ ସଂଦିଗ୍ଧଙ୍କୁ ଗିରଫ୍ କରାଯାଇଛି ।

ସମ୍ବନ୍ଧିତ ଖବର