ଭୋପାଳ: ପଞ୍ଚାୟତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋ‌ଷଣା କରିଥିବା ଜଣେ ବରିଷ୍ଠ ଆଇ.ଏ.ଏସ୍‌. ଅଧିକାରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ବିଚାରପତି ବୁଧବାର ଦିନ ଭର୍ତ୍ସନା କରିବା ସହ ସେ ପଦବୀର ରହିବାକୁ ଯୋଗ୍ୟ ନୁହନ୍ତି କହି ତାଙ୍କୁ ବହିଷ୍କାର କରାଯିବା ଉଚିତ ବୋଲି କହିଛନ୍ତି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଗତମାସରେ ଗୁନ୍ନୋର ଜନପଦ ପଞ୍ଚାୟତରେ ଅନୁଷ୍ଠିତ ଉପସଭାପତି ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କୁ ବିଜେତା ଘୋଷାଣା କରାଯିବା ମାମଲାର ରାୟ ଶୁଣାଇ ବିଚାରପତି ବିବେକ ଅଗ୍ରୱାଲ୍‌ କହିଛନ୍ତି, ସେ ଜଣେ ରାଜନୈତିକ ଏଜେଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି। ସେ କଲେକ୍ଟର୍‌ ହେବାକୁ ଯୋଗ୍ୟ ନୁହନ୍ତି। ତଣେୁ, ତାଙ୍କୁ କଲେକ୍ଟର୍‌ ପଦରୁ ହଟାଇ ଦିଆଯିବା ଉଚିତ।

ମାମଲାର ଶୁଣାଣି ବେଳେ ବିଚାରପତି ବିବେକ ଅଗ୍ରୱାଲ୍‌ ପନ୍ନା ଜିଲ୍ଲାପାଳ ସଞ୍ଜୟ ମିଶ୍ରାଙ୍କୁ ତୀବ୍ର ଭର୍ତ୍ସନା କରି କହିଲେ ଯେ, ଅଧିକାରୀଙ୍କର ଭଲମନ୍ଦ ବିଚାରଧାରା ପ୍ରତି ଭ୍ରୁକ୍ଷେପ ନାହିଁ। ତେଣୁ, ତାଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଉ।

publive-image Image Courtesy of Samakalika Malayalam

ସୂଚନାଯୋଗ୍ୟ, ୨୫ ସଦସ୍ୟବିଶିଷ୍ଟ ଗୁନ୍ନୋର ଜନପଦ ପଞ୍ଚାୟତ ଜୁଲାଇ ୨୭ ତାରିଖ ଦିନ ସଭାପତି ଓ ଉପସଭାପତି ପଦବୀ ପାଇଁ ନିର୍ବାଚନ କରାଇଥିଲା। ଉପସଭାପତି ନିର୍ବାଚନରେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ପରମାନନ୍ଦ ଶର୍ମା ୨୫ଖଣ୍ଡ ଭୋଟ୍‌ରୁ ୧୩ଖଣ୍ଡ ଭୋଟ୍‌ ପାଇ ନିକଟତମ ପ୍ରତିଦ୍ବନ୍ଦ୍ବୀ ଶାସକ ବିଜେପି ସମର୍ଥୀତ ପ୍ରାର୍ଥୀ ରାମଶିରୋମଣି ମିଶ୍ରାଙ୍କୁ ପରାସ୍ତ କରିଥିଲେ। ସେହି ଦିନ ପ୍ରିଜାଇଡିଙ୍ଗ୍‌ ଅଫିସର ପରମାନନ୍ଦ ଶର୍ମା ବିଜୟୀ ପ୍ରାର୍ଥୀଙ୍କୁ ନିର୍ବାଚନ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ସେହି ଦିନ ହିଁ ପରାଜିତ ପ୍ରାର୍ଥୀ ରାମଶିରୋମଣି ମିଶ୍ରା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ୍‌ କରି ପନ୍ନା ଜିଲ୍ଲାପାଳଙ୍କ ନିକଟରେ ନିର୍ବାଚନ ପିଟିସନ୍‌ ଫାଇଲ୍‌ କରିଥିଲେ।

ବିଜୟୀ ପରମାନନ୍ଦ ଶର୍ମା ଅଭିଯୋଗ କରିଥିଲେ ଯେ, ଜିଲ୍ଲାପାଳ ସଞ୍ଜୟ ମିଶ୍ରା ତାଙ୍କ କଥା ନ ଶୁଣି ନିର୍ବାଚନ ଫଳାଫଳକୁ ରଦ୍ଦ ‌କରିଦେଇଥିଲେ। ତା’ପର ଦିନ ଜିଲ୍ଲାପାଳ ଲଟେରି ମାଧ୍ୟମରେ ଆଉ ଥରେ ନିର୍ବାଚନ କରାଇ ହାରିଯାଇଥିବା ପ୍ରାର୍ଥୀ ରାମଶିରୋମଣି ମିଶ୍ରାଙ୍କୁ ବିଜୟୀ ଘୋ‌ଷଣା କରିଥିଲେ।