ବର୍ଷାରେ ମୁମ୍ବାଇ ଉବୁଟୁବୁ

ଏନଡିଆର୍‌ଏଫକୁ ଆଲର୍ଟ, କର୍ମଚାରୀଙ୍କ ଛୁଟି ବାତିଲ

ମୁମ୍ବାଇ: ମୁମ୍ବାଇରେ ଏଯାଏଁ ପହଞ୍ଚିନି ମୌସୁମୀ। ତଥାପି ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ। ଗତକାଲିଠାରୁ ସହରରେ ଲାଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ଗୁଡ଼ିକରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତିି। ବର୍ଷା ଥମିବାର ନାଁ ଧରୁ ନଥିବା ବେଳେ ଆସନ୍ତା ୪୮ ଘଣ୍ଟାରେ ମୌସୁମୀ ମୁମ୍ବାଇ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା ମିଳିବା ପରେ ସହରବାସୀ ଚିନ୍ତାରେ ପଡ଼ି ଯାଇଛନ୍ତି। ରାସ୍ତା ଉପରେ ପାଣିଜମା ହୋଇ ରହିଥିବାରୁ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁଁ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ବେଳେ କିଛି ବିମାନର ମଧ୍ୟ ଦିଗ ପରିବର୍ତ୍ତନ କରାଯାଇଛି। ବର୍ଷା ସାଙ୍ଗକୁ ପବନ ବହିବା ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍‌ଟ ଗୁଡ଼ିକ ଉପୁଡ଼ି ପଡ଼ିଥିବା ବେଳେ ଗଛପତ୍ର ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି। ଜୁନ ୯ରୁ ୧୧ ତାରିଖ ମଧ୍ୟରେ ଏଠାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କ କରାଯାଇଛି। ବର୍ଷାର ସ୍ଥିତିକୁ ଦେଖି ବମ୍ବେ ମ୍ୟୁନିସିପାଲ କର୍ପୋରେସନର ସବୁ ବରିଷ୍ଠ ଅଧିକାରୀମାନଙ୍କ ଛୁଟି ବାତିଲ କରିଦିଆଯାଇଛି। ଏପରିକି ଡେପୁଟି ମ୍ୟୁନିସପାଲ କମିସନର, ଆସିଷ୍ଟାଣ୍ଡ୍‌ କମିସନର ଏବଂ ବିଭାଗୀୟ ମୁଖ୍ୟମାନଙ୍କ ଛୁଟି ବାତିଲ କରାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ସବୁ ତଳିଆ ଅଞ୍ଚଳ ମାନଙ୍କରେ ୩ଟି ଏନ୍‌ଡିଆରଏଫ୍‌ ଦଳ ସକ୍ରିୟ ରହିବେ। ଏହାବାଦ୍‌ ମୁମ୍ବାଇ ଫାୟାର ବ୍ରିଗେଡ୍‌ର ୬ ବନ୍ୟା ଉଦ୍ଧାରକାରୀ ଦଳ (ରିଜିଓନାଲ କମାଣ୍ଡ୍‌ ସେଣ୍ଟରରେ ନିୟୋଜିତ ହେବେ। ବନ୍ୟା ପ୍ରବଣ ଅଞ୍ଚଳ ଗୁଡ଼ିକରେ ସ୍ଥିତି ସମୀକ୍ଷା କରାଯାଇ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।
ଅପରପକ୍ଷେ, ମୁମ୍ବାଇ ସହରରେ ବିପର୍ଯ୍ୟସ୍ଥ ହୋଇ ପଡ଼ିଥିବା ଡ୍ରେନେଜ ବ୍ୟବସ୍ଥା ଏବେ ସବୁଠୁ ଚିନ୍ତାର ବିଷୟ ପାଲଟିଛି। କେନ୍ଦ୍ରୀୟ ମୁମ୍ବାଇର କିଛି ଅଂଶ, ଏଲଫିନଷ୍ଟୋନ୍‌ ରୋଡ୍‌, ପାରେଲ, ଦାଦର ଟିଟି ସର୍କଲ ଏବଂ ହିନ୍ଦମାତା ଆଦି ଅଞ୍ଚଳରେ ପ୍ରାକ୍‌ ମୌସୁମି ବର୍ଷା ନାକେଦମ୍‌ କରିଦେଇଛି। ମାତ୍ର ଗୋଟିଏ ଘଣ୍ଟାର ବର୍ଷାରେ ରାସ୍ତାଘାଟରେ ପାଣିର ଶୁଅ ଛୁଟୁଛି। ତେବେ ବିଏମ୍‌ସି ମୌସୁମୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା କହିଛି। ଏହା ସହିତ ଜଳ ନିଷ୍କାସନ ପାଇଁ ମଧ୍ୟ ସମସ୍ତ ପ୍ରକାଣ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର