ତେଲ୍ ଅବିବ୍: ମଧ୍ୟ ପ୍ରାଚ୍ୟରେ ଏବେ ଯୁଦ୍ଧ ଉତ୍ତେଜନା ବଢ଼ିଛି। ଲେବାନନ୍ରେ ହେଜବୁଲ୍ଲା ଆତଙ୍କବାଦୀ ବ୍ୟବହାର କରୁଥିବା ପେଜର୍ ଓ ୱାକିଟକିରେ ବିସ୍ଫୋରଣ ଘଟାଇ ଇସ୍ରାଏଲ ‘ନୂଆ ଯୁଦ୍ଧ’ ଆରମ୍ଭ କରିଛି। ଇସ୍ରାଏଲ ଆଜି ପୁଣିଥରେ ଦକ୍ଷିଣ ଲେବାନନ୍ରେ ଇସ୍ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ୧୫୦ରୁ ଅଧିକ ଆଡ଼ା ଉପରେ ଭୟଙ୍କର ଆକ୍ରମଣ କରିଛି। ଇସ୍ରାଏଲ ସେନା ଗୁରୁବାର ହେଜବୁଲ୍ଲାର ସମସ୍ତ ପ୍ରମୁଖ ଆଡ଼ା, କମାଣ୍ଡ ସେଣ୍ଟର ଆଦିକୁ ଟାର୍ଗେଟ୍ କରି ଘନ ଘନ ବିମାନ ଆକ୍ରମଣ କରିଛି। ରିପୋର୍ଟ ଅନୁଯାୟୀ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଦକ୍ଷିଣ ଲେବାନନ୍ରେ ହେଜବୁଲ୍ଲା ଆତଙ୍କବାଦୀଙ୍କ ୩୦ ଲଞ୍ଚର, ୧୫୦ ଆଡ଼ା , ସାମରିକ ଭିତ୍ତିଭୂମି, ଏକାଧିକ କୋଠା ଏବଂ ଅସ୍ତ୍ରଶସ୍ତ୍ର ଗୋଦାମକୁ ଟାର୍ଗେଟ୍ କରି ବୋମା ବର୍ଷା କରିଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ବଢ଼ିଲା
ଇସ୍ରାଏଲରେ ବି ହେଜବୁଲ୍ଲାର ଶତାଧିକ ରକେଟ୍ ମାଡ଼
ହେଜବୁଲ୍ଲାର ଜଣେ ଶୀର୍ଷ କମାଣ୍ଡର ସମେତ ୮ ଜଣ ‘ଯୋଦ୍ଧା’ ନିପାତ ହୋଇଥିବା ଜଣାପଡ଼ିଛି। ଇସ୍ରାଏଲ ବାୟୁ ସେନା ଦକ୍ଷିଣ ଲେବାନନ୍ରେ ଆତଙ୍କବାଦୀଙ୍କ ଭିତ୍ତିଭୂମି ଛାରଖାର କରିଦେବା ସହ ଅନ୍ୟ ଅଞ୍ଚଳକୁ ମଧ୍ୟ ଟାର୍ଗେଟ୍ କରିବା ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ହେଜବୁଲ୍ଲା ଆତଙ୍କବାଦୀଙ୍କ ଭିତ୍ତିଭୂମି ଏବଂ ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ହୋଇଛି। ଅନ୍ୟପକ୍ଷରେ ହେଜବୁଲ୍ଲା ମଧ୍ୟ ଇରାନ ସହାୟତାରେ ଆଜି ଇସ୍ରାଏଲ ଉପରେ ଶତାଧିକ ରକେଟ୍ ମାଡ଼ କରିଛି।
ବିବାଦ ଆରମ୍ଭ ହେବା ଦିନଠାରୁ ପ୍ରଥମ ଥର ପାଇଁ ଆଇଡିଏଫ୍ ସିଧାସଳଖ ଭାବେ ଉତ୍ତର ଇସ୍ରାଏଲରେ ଏହାର ନାଗରିକଙ୍କୁ ବାହାରକୁ ଯିବା ଆସିବା ଉପରେ କଟକଣା ଲଗାଇଛି। ଅଯଥା ଭିଡ଼ ନକରିବା ଏବଂ ବାହାରେ ସମବେତ ନହେବା ପାଇଁ କୁହାଯାଇଛି। ଗ୍ରାମଗୁଡ଼ିକର ପ୍ରବେଶ ପଥରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ହେଜବୁଲ୍ଲା ନେତା ହସନ ନସ୍ରଲ୍ଲା ଇସ୍ରାଏଲ ବିରୋଧରେ ପ୍ରତିଶୋଧ ଘୋଷଣା କରିବାପରେ ଲେବାନନ୍ରେ ବିମାନ ଆକ୍ରମଣ ହୋଇଛି। ଇସ୍ରାଏଲ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଥିବା ବେଳେ ଇସ୍ରାଏଲର ମୁକାବିଲା ପାଇଁ ହେଜବୁଲ୍ଲା ଇରାନ୍ର ସହାୟତାକୁ ଅପେକ୍ଷା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/nTTmHGVx4tRfe8ppMzDH.jpg)