ତେଲ୍‌ ଅବିବ: ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋାସଦ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ୍‌ କରିବା ପାଇଁ ଅସମ୍ଭବକୁ ସମ୍ଭବ କରିଦେଖାଇଛି। ସମଗ୍ର ଇସ୍ରାଏଲରେ ହେଜବୁଲ୍ଲା ସଦସ୍ୟଙ୍କୁ ଟାର୍ଗେଟ୍‌ କରିବା ନିମନ୍ତେ ସେମାନେ ବ୍ୟବହାର କରୁଥିବା ପ୍ରତିଟି ପେଜର୍‌କୁ ବୋମାରେ ପରିଣତ କରିବା ପାଇଁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି  ସଫଳ ହୋଇଛି। ପେଜର୍‌ ବିସ୍ଫୋରଣରେ ୩ ହଜାରରୁ ଅଧିକ ଆହତ ହୋଇଥିବା ବେଳେ ଏହା ଇସ୍‌ଲାମିକ ଚରମପନ୍ଥୀ ସଂଗଠନର ମୂଳଦୁଆକୁ ଦୋହଲାଇ ଦେଇଛି। ବିସ୍ଫୋରଣର କିଛି ମାସ ପୂର୍ବରୁ ଲେବାନନର ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଦ୍ୱାରା ଆମଦାନି କରାଯାଇଥିବା ପ୍ରାୟ ୫ ହଜାର ପେଜର୍ ଭିତରେ ମୋସାଦ ବିସ୍ଫୋରକ ରଖିବାରେ ସକ୍ଷମ ହୋଇଥିଲା। 

Advertisment

ପେଜର୍‌ ତିଆରି କରିଥିବା ସଂସ୍ଥାରେ ହିଁ ବିସ୍ଫୋରକ ରଖିବା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଇସ୍ରାଏଲର ଗୁଇନ୍ଦା ଅଧିକାରୀମାନେ ଦୁଇ ବର୍ଷ ତଳୁ ଏହି ଯୋଜନା କରିଥିଲେ ଏବଂ ପେଜର୍‌ଗୁଡ଼ିକରେ ବିସ୍ଫୋରକ ଚିପ୍‌ ଲଗାଇବାରେ ସେମାନେ ସଫଳ ହୋଇଥିବାରୁ ଯେ କୌଣସି ସମୟରେ ଏଥିରେ ବିସ୍ଫୋରଣ ପାଇଁ ସଠିକ୍‌ ସମୟକୁ ଅପେକ୍ଷା କରିଥିଲେ। ହେଜବୁଲ୍ଲା ପେଜର୍‌କୁ ନେଇ ହଠାତ୍‌ ସନ୍ଦେହ କରିବା ଆରମ୍ଭ କରିବାରୁ ବିସ୍ଫୋରଣ ଯୋଜନାକୁ ତରବରିଆ ଭାବେ ଗତକାଲି କାର୍ଯ୍ୟକାରୀ କରାଯାଇଥିଲା। ପେଜର୍‌ ବ୍ୟାଟେରିକୁ ଗରମ କରିବା ପାଇଁ ଏକ ସ୍ବତନ୍ତ୍ର ମେସେଜ୍‌ ପଠାଯାଇଥିଲା ଏବଂ ପେଜର୍‌ ଏହାକୁ ଗ୍ରହଣ କରିବାର କିଛି ସେକେଣ୍ଡ୍‌ ମଧ୍ୟରେ ବିସ୍ଫୋରଣ ହୋଇଥିଲା। ଗତକାଲି ଏକକାଳୀନ ହଜାର ହଜାର ପେଜର୍‌ ବିସ୍ଫୋରଣ ହେବା ହେଜବୁଲ୍ଲାର ଏକ ଅଭୂତପୂର୍ବ ସୁରକ୍ଷା ଉଲ୍ଲଂଘନ ଥିଲା। ସଂଗଠନର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ଟାର୍ଗେଟ୍‌ କରିବା ପାଇଁ ହୋଇଥିବା ଏହି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଗଠନର ଯୋଦ୍ଧା ଏବଂ ବେରୁତରେ ଥିବା ଇରାନର ରାଷ୍ଟ୍ରଦୂତଙ୍କ ସମେତ ୩,୦୦୦ରୁ ଅଧିକ ଆହତ ହେବା ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି। ହେଜବୁଲ୍ଲାକୁ ଏବେ ମୂଳପୋଛ କରିବାକୁ ଇସ୍ରାଏଲ ଲକ୍ଷ୍ୟ ରଖିଛି। ଲେବାନନ୍‌ ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପେଜରଗୁଡ଼ିକ ତାଇୱାନର ଗୋଲ୍ଡ ଆପୋଲୋର, କିନ୍ତୁ କମ୍ପାନି ଏକ ବିବୃତିରେ କହିଛି ଯେ ସେମାନେ ଏହି ଡିଭାଇସ୍ ନିର୍ମାଣ କରିନାହାନ୍ତି। ଏହାକୁ ବିଏସି ନାମକ ଏକ କମ୍ପାନି ତିଆରି କରିଛି, ଯାହାର ବ୍ରାଣ୍ଡ ବ୍ୟବହାର କରିବା ପାଇଁ ଲାଇସେନ୍ସ ରହିଛି।

ଗୁଇନ୍ଦା ସଂସ୍ଥା ମୋସାଦ୍‌ର ସୁଚିନ୍ତିତ ରଣନୀତି
ହେଜବୁଲ୍ଲାକୁ ମୂଳପୋଛ କରିବା ଲକ୍ଷ୍ୟରେ ଇସ୍ରାଏଲ

ଗଣହତ୍ୟାର ପ୍ରତିଶୋଧ ନିଆଯିବ: ହେଜବୁଲ୍ଲା

ବେରୁତ୍‌: ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ସଦସ୍ୟମାନେ ‌ବ୍ୟବହାର କରୁଥିବା ହଜାର ହଜାର ପେଜର୍‌ ଗତକାଲି ବିସ୍ଫୋରଣ ହୋଇଥିବା ବେଳେ ଏଥିପାଇଁ ସଂଗଠନକୁ ନାହିଁ ନଥିବା କ୍ଷତି ସହିବାକୁ ପଡ଼ିଛି। ପ୍ରାୟ ୨ ହଜାର ସକ୍ରିୟ ସଦସ୍ୟ ଆହତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ହେଜ୍‌ବୁଲ୍ଲା ଏକ ବିବୃତିରେ କହିଛି ଯେ ପୂର୍ବ ଭଳି ଏବେ ମଧ୍ୟ ଗାଜା, ଏହାର ଜନସାଧାରଣ ଏବଂ ଏହାର ପ୍ରତିରୋଧକୁ ସମର୍ଥନ କରିବା ପାଇଁ   ଅଭିଯାନ ଜାରି ରହିଛି। ଅପରାଧୀ ଶତ୍ରୁ (ଇସ୍ରାଏଲ) ଉପରେ ମଙ୍ଗଳବାର ଗଣହତ୍ୟାର ପ୍ରତିଶୋଧ ନିଶ୍ଚିତ ଭାବେ ନିଆଯିବ। ଇସ୍ରାଏଲକୁ ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ହେଜବୁଲ୍ଲା କହିଛି। ଅନ୍ୟପକ୍ଷରେ ବ୍ରିଟେନ୍ ବୈଦେଶିକ ମନ୍ତ୍ରାଳୟ ଏହି ଆକ୍ରମଣ ପରେ ଉତ୍ତେଜନା ନ ବଢ଼ାଇବାକୁ ଅନୁରୋଧ କରିଛି। ଇସ୍ରାଏଲର ଘନିଷ୍ଠ ସହଯୋଗୀ ତଥା ସାମରିକ ଅଂଶୀଦାର ଆମେରିକା କହିଛି ଯେ ଏହି ବିସ୍ଫୋରଣ ପଛରେ ଆମର କୌଣସି ଭୂମିକା ନାହିଁ ଏବଂ ଏ ବାବଦରେ କୌଣସି ପୂର୍ବ ସୂଚନା ଆମ ପାଖରେ ନଥିଲା।

ଲେବାନନ୍‌ର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ହେଜବୁଲ୍ଲା ଗୋଲ୍ଡ ଆପୋଲୋରୁ ୫,୦୦୦ ବିପର (ପେଜର୍‌) ଅର୍ଡର କରିଥିଲା, ଯାହାକୁ ଚଳିତ ବର୍ଷ ପ୍ରାରମ୍ଭରେ ଦେଶକୁ ଅଣାଯାଇଥିଲା। ଗୋଲ୍ଡ ଆପୋଲୋର ପ୍ରତିଷ୍ଠାତା ସୁ ଚିଙ୍ଗ-କୁଆଙ୍ଗ କହିଛନ୍ତି ଯେ ବିସ୍ଫୋରଣରେ ବ୍ୟବହୃତ ପେଜରଗୁଡ଼ିକ ୟୁରୋପର ଏକ କମ୍ପାନି ତିଆରି କରିଥିଲା ଯାହାର ବ୍ରାଣ୍ଡ୍‌ ବ୍ୟବହାର କରିବାର ଅଧିକାର ଥିଲା। ଗୋଲ୍ଡ ଆପୋଲୋ ଏକ ବିବୃତିରେ କହିଛି ଯେ ଏଆର୍-୯୨୪ ମଡେଲକୁ ବିଏସି ଉତ୍ପାଦନ କରି ବିକ୍ରି କରିଥିଲା। ଇସ୍ରାଏଲର ଲୋକେସନ ଟ୍ରାକିଂରୁ ବର୍ତ୍ତିବା ପାଇଁ ହେଜବୁଲ୍ଲା ଲଢୁଆମାନେ ପେଜରକୁ ଯୋଗାଯୋଗର ଏକ ଲୋ-ଟେକ୍ ମାଧ୍ୟମ ଭାବରେ ବ୍ୟବହାର କରିଥାନ୍ତି।

ଲେବାନନ୍‌ ସୂତ୍ରରୁ ପ୍ରକାଶ ଯେ ଏହି ଉପକରଣଗୁଡ଼ିକୁ ଇସ୍ରାଏଲର ଗୁପ୍ତଚର ସେବା ସଂସ୍ଥା ‘ଉତ୍ପାଦନ ସ୍ତରରେ’ ପରିବର୍ତ୍ତନ କରିଛି। ମୋସାଦ ଡିଭାଇସ୍ ଭିତରେ ବିସ୍ଫୋରକ ପଦାର୍ଥଯୁକ୍ତ ଚିପ୍‌ ଖଞ୍ଜିଥିଲା, ଯାହା ଏକ କୋଡ୍‌ (ସଂକେତ) ଗ୍ରହଣ କରିବାକୁ ସକ୍ଷମ। କିନ୍ତୁ କୌଣସି ଉପାୟରେ ଏହାକୁ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର। ସେଥିପାଇଁ ପେଜରକୁ ଏକ କୋଡେଡ୍ ମେସେଜ୍ ପଠାଯିବା ପରେ ସେଗୁଡ଼ିକ ବିସ୍ଫୋରଣ ହୋଇଥିଲା।   ପେଜର୍‌ ଭିତରେ ମାସ ମାସ ଧରି ବ‌ିସ୍ଫୋରକ ରହିଥିବା ସଂପର୍କରେ ହେଜବୁଲ୍ଲା ଟେର୍‌ ନପାଇବା ଆଉ ଏକ ବିସ୍ମୟ। ଇସ୍ରାଏଲ ଗୁଇନ୍ଦା ସଂସ୍ଥାର ଏଭଳି ରଣନୀତି ପଛରେ ଏଆଇ (କୃତ୍ରିମ ବୁଦ୍ଧିମତା)ର ମଧ୍ୟ ଏକ ବଡ଼ ଭୂମିକା ରହିଛି।