ତେଲ୍‌ ଅଭିଭ୍‌: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ବଡ଼ ଯୋଜନା କରୁଛି। ଇରାନଠାରୁ ସିଧାସଳଖ ସାମରିକ ସହାୟତା ହାତେଇ ଥିବା ହେଜବୁଲ୍ଲା ଆଜି ଲେବାନନ୍‌ ଓ ୟେମେନରୁ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ମାଡ଼ କରିଛି। ତେଲ ଅଭିଭ୍‌ ସମେତ କେନ୍ଦ୍ରୀୟ ଇସ୍ରାଏଲ ଉପରେ ରବିବାର ସକାଳେ   ବଡ଼ ଧରଣର ରକେଟ୍ ଆକ୍ରମଣ ହୋଇଛି। ତେବେ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆଇରନ୍‌ ଡୋମ ଅଧିକାଂଶ ରକେଟ୍‌କୁ ଧ୍ବସ୍ତ କରିବାରେ ସକ୍ଷମ ହୋଇଥିବାରୁ ବଡ଼ ବିପର୍ଯ୍ୟୟ ଟଳିଯାଇଛି।

Advertisment

ଆଜି ସକାଳେ  ଆକ୍ରମଣ ଆରମ୍ଭ ହେବାମାତ୍ରେ ଏୟାର ଷ୍ଟ୍ରାଇକ୍ ସାଇରନ୍ ବାଜିବାରୁ ଲୋକେ ସୁରକ୍ଷିତ ଆଶ୍ରୟସ୍ଥଳକୁ ଦୌଡ଼ିଥିଲେ ଏବଂ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ରିପୋର୍ଟ କରିଛି ଯେ ଆଇରନ୍ ଡୋମ୍ ଏୟାର ଡିଫେନ୍ସ ସିଷ୍ଟମ  ବହୁ ସଂଖ୍ୟକ ରକେଟ୍‌କୁ ଅଟକାଇବାରେ ସକ୍ଷମ ହୋଇଥିଲେ। ତେବେ କେତେକ ରକେଟ୍‌ ପ୍ରବେଶ କରିବାରେ ସଫଳ ହୋଇଥିବାରୁ କେନ୍ଦ୍ରୀୟ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଥିଲା।  ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ପ୍ରକାଶ କରାଯାଇ ନଥିବା ବେଳେ ଜରୁରୀକାଳୀନ ସେବା ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଥିବା ସୂଚନା ଦିଆଯାଇଛି।

ଏହି ରକେଟ୍ ଆକ୍ରମଣ କେବଳ ସାମରିକ ଉତ୍ତେଜନା ନୁହେଁ ବରଂ ଇସ୍ରାଏଲକୁ ଦୋହଲାଇ ଦେବାପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରକେଟ୍‌ ଆକ୍ରମଣ ଜବାବରେ ଆଇଡିଏଫ ଗାଜାର ରକେଟ୍ ଉତକ୍ଷେପଣ ସ୍ଥଳକୁ ଟାର୍ଗେଟ କରି ପ୍ରତିଶୋଧମୂଳକ ଆକ୍ରମଣ କରିଥିଲା।  ସେନା କହିଛି ଯେ ଆଗକୁ ଆକ୍ରମଣକୁ ରୋକିବା ଏବଂ ହମାସ ଓ  ଅନ୍ୟ ଆତଙ୍କବାଦୀ ଗୋଷ୍ଠୀର ସାମର୍ଥ୍ୟକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବହୁତ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ହେବ। ରକେଟ୍ ଧମକରେ ଅଭ୍ୟସ୍ତ ତେଲ୍‌ ଅଭିଭର ବାସିନ୍ଦା ମାନେ  ଆଜିର ଆକ୍ରମଣ ନେଇ କ୍ରୋଧ ଓ ଦୃଢ଼ ସଂକଳ୍ପର ମିଶ୍ରଣ ପ୍ରକାଶ କରିଛନ୍ତି।