ଭାରତରେ ଆକ୍ରମଣ ପାଇଁ ହିଜ୍‌ବୁଲର ଧମକ: ତାଲିବାନର ସହାୟତା ଲୋଡ଼ିଲା, ଅଡିଓ ବାର୍ତ୍ତା ଜାରି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତ ବିରୋଧରେ ସକ୍ରିୟ ହୋଇ ଉଠିଛନ୍ତି। ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାଉଦ୍ଦିନ୍‌ ଶନିବାର ଏକ ଅଡ଼ିଓ ବାର୍ତ୍ତା ଜାରି କରି ଭାରତକୁ ଧମକାଇଛି। ଭାରତରେ ଆକ୍ରମଣ ପାଇଁ ସେ ତାଲିବାନ୍‌ର ସହଯୋଗ ଚାହିଛି। ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାପାଇଁ ସେ ତାଲିବାନ୍‌ ଆତଙ୍କବାଦୀଙ୍କଠାରୁ ସହଯୋଗ ପାଇଁ ଅନୁରୋଧ କରିଛି ଏବଂ ଭାରତ ବିରୋଧରେ ଜିହାଦ ଜାରି ରଖିବାକୁ ଆହ୍ବାନ ଦେଇଛି।

ଅନଲାଇନ୍‌ରେ ନିଜ ବିବୃତି ଜାରି କରି ସଲାଉଦ୍ଦିନ୍‌ କହିଛି, ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛି ଆଲ୍ଲା ଇସଲାମିକ ଏମିରେଟ୍‌ସ ଅଫ୍‌ ଆଫଗାନିସ୍ତାନକୁ ଏତେ ଶକ୍ତିଶାଳୀ କରିଦେବେ ଯେ ‌ସେମାନେ କାଶ୍ମୀର ବାସିନ୍ଦାଙ୍କୁ ଭାରତ ବିରୋଧରେ ସମର୍ଥନ କରିବେ। ଉଲ୍ଲେଖଯୋଗ୍ୟ, ତାଲିବାନ୍‌ ଆତଙ୍କବାଦୀ ଆଫଗାନିସ୍ତାନରେ ବର୍ବରତା ଆରମ୍ଭ କରିଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ସେମାନେ ପୂର୍ବ ସରକାରର ଅଧିକାରୀ ଓ ସେନା କର୍ମଚାରୀଙ୍କୁ ହତ୍ୟା କରୁଛନ୍ତି। ତାଲିବାନ୍‌ ହାତରେ ଏବେ ସମଗ୍ର ଆଫଗାନିସ୍ତାନର ନିୟନ୍ତ୍ରଣ ଥିବାରୁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏହାର ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର