ବେରୁତ: ମଙ୍ଗଳବାର ଲେବାନନ୍‌ରେ ହୋଇଥିବା ପେଜର୍‌ ବିସ୍ଫୋରଣ ଓ ବୁଧବାର ହୋଇଥିବା ୱାକି ଟକି ବିସ୍ଫୋରଣ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ୍‌ର ବିସ୍ମୟକାରୀ ଶକ୍ତିକୁ ପ୍ରତିପାଦିତ କରିଥିବା ବେଳେ ଏହି ‘ନୂଆ ଯୁଦ୍ଧ’ ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗିଦେଇଛି। ଆତଙ୍କିତ ହେଜବୁଲ୍ଲା  ସମସ୍ତ ସଦସ୍ୟଙ୍କୁ ମୋବାଇଲ୍‌ ଫୋନ୍‌ ବର୍ଜନ କରିବାକୁ କହିଛି। ଫୋନ୍‌ ହ୍ୟାକ୍‌ କରି ମୋସାଦ୍‌ ବିସ୍ଫୋରଣ ଘଟାଇବା ଆଶଙ୍କାରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଆଜି ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟରୁ ଜଣାପଡ଼ିଛି ଯେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ଏକ ସେଲ୍‌ କମ୍ପାନି ମାଧ୍ୟମରେ ପେଜର୍‌ ତିଆରି କରି ଇସ୍ରାଏଲ ହିଁ ପଠାଇଥିଲା।   ପୂର୍ବରୁ ସେହି ଉପକରଣଗୁଡ଼ିକୁ ତିଆରି କରିବା ଏବଂ ବିସ୍ଫୋରକ ଖଞ୍ଜିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏକ ସେଲ୍‌ କମ୍ପାନିକୁ ବ୍ୟବହାର କରାଯାଇଥିଲା ଏବଂ ହେଜବୁଲ୍ଲା ଏହାର ସାମାନ୍ୟତମ ଟେର୍‌ ପାଇନଥିଲା।  ପେଜର୍‌ ଓ ୱାକି-ଟକି ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ଆଜି ୩୭ରେ ପହଞ୍ଚିଥିବା ବେଳେ ପ୍ରାୟ ୪ ହଜାର ଆହତ ଚିକିତ୍ସିତ ହେଉଛନ୍ତି। ୨ ଶହରୁ ଅଧିକ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଏହି ଅପରେସନ ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ ଥିଲା।

 ପେଜର୍‌ ତିଆରି କରିଥିବା ଲୋକଙ୍କ ପ୍ରକୃତ ପରିଚୟ ଲୁଚାଇବା ପାଇଁ ଇସ୍ରାଏଲ ଅତି କମରେ ଆଉ ଦୁଇଟି ସେଲ୍‌ କମ୍ପାନି ସୃଷ୍ଟି କରିଥିଲା। ପ୍ରାୟ ୫ ହଜାର ପେଜର୍‌ରେ ବିସ୍ଫୋରକ ଚିପ୍‌ ଲଗାଇ ହେଜବୁଲ୍ଲାକୁ ସେଲ୍‌ କମ୍ପାନି ମାଧ୍ୟମରେ ଦିଆଯାଇଥିଲା। ହେଜବୁଲ୍ଲା ନେତା ହସନ୍‌ ନସ୍‌ରଲ୍ଲା ତାଙ୍କ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟମାନଙ୍କୁ ପୂର୍ବରୁ ଚେତାବନୀ ଦେଇ କହିଥିଲେ ଯେ ମୋବାଇଲ୍ ଫୋନ୍ ଭଳି ଆଧୁନିକ ଯୋଗାଯୋଗ ଉପକରଣଠାରୁ ଦୂରେଇ ରହିବାକୁ  ହେବ, ଅନ୍ୟଥା ଇସ୍ରାଏଲ ଏହାକୁ  ହ୍ୟାକ୍ କରି ସେମାନଙ୍କ ବିରୋଧରେ ଅସ୍ତ୍ରରେ ପରିଣତ କରିଦେବ। ଫଳସ୍ୱରୂପ, ହେଜବୁଲ୍ଲା ପରସ୍ପର ମଧ୍ୟରେ ଯୋଗାଯୋଗ କରିବା ପାଇଁ ପେଜର୍ ବ୍ୟବହାର କରିବାକୁ ଅଗ୍ରାଧିକାର ଦେଇଥିଲା ଏବଂ କୋରିଆ ଓ ୟୁରୋପରେ ଏହାର ନିର୍ମାତାଙ୍କ ସହ ଯୋଗାଯୋଗ କରିଥିଲା। ତେବେ ସେମାନେ ଇସ୍ରାଏଲ ସେଲ୍‌ କମ୍ପାନିର ଜାଲରେ ପଡ଼ିବାକୁ ଯାଉଛନ୍ତି ବୋଲି ସୁରାକ୍‌ ପାଇନଥିଲେ।  ପ୍ରାୟ ୫ ହଜାର ପେଜର୍‌ ଲେବାନନ୍‌କୁ ଆସିବା ପରେ ଏହାକୁ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।  ଗତ କିଛି ମାସ ମଧ୍ୟରେ ଏହି ପେଜର୍‌ଗୁଡ଼ିକୁ ହଙ୍ଗେରି ସ୍ଥିତ ବିଏସି ନାମକ ଏକ କମ୍ପାନିରୁ ଆମଦାନି କରାଯାଇଥିଲା।

ଲେବାନନ୍‌ ଉପରେ ଆକ୍ରମଣ ଜାରି
ବେରୁତ: ଇସ୍ରାଏଲ  ଆଜି ଲେବାନନ୍‌ରେ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ ଜାରି ରଖିଛି। ନିକଟରେ ଦେଶରେ ହୋଇଥିବା ପେଜର୍‌ ଓ ୱାକି-ଟକି ଆକ୍ରମଣକୁ ବିରୋଧ କରି ହେଜବୁଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲା ଏକ ଟେଲିଭିଜନ ଭାଷଣ ଦେବାର କିଛି ସମୟ ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏହି ଆକ୍ରମଣ ଆରମ୍ଭ କରିଥିଲା। ହେଜବୁଲ୍ଲାର ଆତଙ୍କବାଦୀ ସାମର୍ଥ୍ୟ ଓ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଆଇଡିଏଫ୍‌ ଏବେ ଲେବାନନର ହେଜବୁଲ୍ଲା ଟାର୍ଗେଟ ଉପରେ ଆକ୍ରମଣ ଜୋରଦାର କରିଛି। ଆକ୍ରମଣ ପାଇଁ   ଇସ୍ରାଏଲ ଯୁଦ୍ଧ ବିମାନ ଓ ଡ୍ରୋନ୍‌ ବ୍ୟବହାର କରିଛି। ଅନ୍ୟପକ୍ଷରେ ସୀମାରେ ମଧ୍ୟ ସଂଘର୍ଷ ଜାରି ରହିଛି। ହେଜବୁଲ୍ଲା ଆକ୍ରମଣରେ ଦୁଇ ଜଣ ଇସ୍ରାଏଲୀ ସୈନିକ ନିହତ ହୋଇଛନ୍ତି। ଗତ ଅକ୍ଟୋବର ମାସରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଓ ଇରାନ ସମର୍ଥିତ ହେଜବୁଲ୍ଲା ମଧ୍ୟରେ ସୀମାପାର ସଂଘର୍ଷ ଲାଗି ରହିଛି।