ଦାନ୍ତେୱାଡ଼ା : କିଛିଦିନର ନିରବତା ପରେ ପୁଣି ଛତିଶଗଡ଼ରେ ମାଓବାଦୀମାନେ ସେମାନଙ୍କ ବର୍ବରତା ଦେଖାଇଛନ୍ତି। ତେବେ ଏଥର ମଧ୍ୟ ଆରଣପୁର ବିସ୍ଫୋରଣ ପଛରେ କୁଖ୍ୟାତ ମାଓନେତା ହିଡମା ଓରଫ ସନ୍ତୋଷର ହାତ ଥିବା ସ୍ପଷ୍ଟ ହୋଇଛି। ମାଓନେତା ହିଡମା ଏହି ବିସ୍ଫୋରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ମଲାଙ୍ଗିର ଏରିଆ କମିଟିର ମାଓ ନେତ୍ରୀ ଏହି ବିସ୍ଫୋରଣ ଘଟଣା ଘଟାଇଥିବା ଜଣାପଡିଛି।

Advertisment

ଗତକାଲି ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ଆରଣପୁର ଥାନାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ମାଓବାଦୀମାନେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିବା ବେଳେ ଏହି ନାରକୀୟ କାଣ୍ଡ ପଛରେ ହିଡମାର ହାତ ଥିବା ଏବେ ସ୍ପଷ୍ଟ ହବାରେ ଲାଗିଛି। ୨୦୨୧ ତରେମ ସିଆର୍‌ପିଏଫ୍‌ ଆକ୍ରମଣ ଘଟଣା ପରେ ବିଶେଷ କିଛି ବଡ଼ ହିଂସାକାଣ୍ଡ ଘଟାଇବାରେ ଅସଫଳ ହୋଇଥିବାରୁ ପୁଲିସର ସମସ୍ତ ଗତିବିଧି ଉପରେ ଟିକିନିଖି ନଜର ରଖିଥିଲା ହିଡ଼ମା। ଶେଷରେ ଦାନ୍ତେୱାଡା ଡିଆର୍‌ଜି ଯବାନଙ୍କ ଗତିବିଧିକୁ ନଜର କରି ଆରଣପୁରଠାରେ ଷଡ଼୍‌ଯନ୍ତ୍ର ରଚିଥିଲା ହିଡମା। ପ୍ରଥମେ ପାସନାର ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଖବର ପ୍ରଚାରିତ କରିଥିଲେ। ଆଉ ମାଓଦମନ ନାଁରେ ୩ଟି ଘରୋଇ ଭ୍ୟାନରେ ବାହାରିଥିଲେ ଡିଆର୍‌ଜି ଯବାନ। ଫେରିବା ବାଟରେ ହିଡ଼ମା ବିଛେଇଥିବା ମୃତ୍ୟୁର ଜାଲରେ ଛନ୍ଦି ହୋଇ ପଡିଥିଲେ ସେମାନେ। ପାଣ୍ଡୁମ ପର୍ବ ନାଁରେ ଯବାନମାନଙ୍କ ପ୍ରଥମ ଗାଡ଼ିକୁ ଅଟକାଇ ଥିଲେ। ଦ୍ବିତୀୟ ଗାଡିର ଗତି କମିବା ମାତ୍ରେ ପୂର୍ବରୁ ଖଂଜା ଯାଇଥବା ଶକ୍ତିଶାଳୀ ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରି ଉଡାଇଥିଲେ ମାଓବାଦୀ।

ହିଡମାର ପ୍ଲାନ ମୁତାବକ ଦରଭା ଡିଭିଜନ ଅନ୍ତର୍ଗତ ମଲାଂଗିର ଏରିଆ କମିଟିର ଡିଭିସି ସଦସ୍ୟା ମଂଜୁଳା ଏହି କାଣ୍ଡ ଭିଆଇଛି। ମାଓ ନେତା ହିଡମା ଓରଫ ହିଡମାଲୁ ଓରଫ ସନ୍ତୋଷ। ବୟସ ମାତ୍ର ୩୯ ବର୍ଷ। ମାଓ ସଂଗଠନର ସର୍ବକନିଷ୍ଠ କେନ୍ଦ୍ରୀୟ କମିଟି ସଦସ୍ୟ ସହ ମାଓବାଦୀଙ୍କ ଗରିଲା ପ୍ଲାଟୁନ ନଂ୨ର ମୁଖ୍ୟ ହେଉଛନ୍ତି ହିଡମା। ଗରିଲା ଯୁଦ୍ଧରେ ସିଦ୍ଧହସ୍ତ ତଥା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମାହିର ହିଡମା ୨୦୧୩ ଦରଭା ଆକ୍ରମଣଠାରୁ ଆରମ୍ଭ କରି ବୁର୍କାପାଲ, ତେରେମ ଆକ୍ରମଣ ସହ ଗତ ଏକ ଦଶନ୍ଧି ଧରି ସବୁ ମାଓ ହମଲାର ମାଷ୍ଟରମାଇଣ୍ଡ ହିଡ଼ମା ଉପରେ ରହିଛି ୪୫ ଲକ୍ଷରୁ ଊର୍ଦ୍ଧ ଟଙ୍କାର ପୁରସ୍କାର।