ନୂଆଦିଲ୍ଲୀ: ହରିୟାଣାରେ ସାମ୍ପ୍ରଦାୟିକ ହିଂସା ତୀବ୍ର ରୂପ ନେଇଛି। ହରିୟାଣାର ନୁହରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ଦ୍ବାରା ଧାର୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ଉପୁଜିଥିବା ହିଂସା ଏବେ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଛି। ଉକ୍ତ ଘଟଣାରେ ୨ ‌ହୋମ୍‌ ଗାର୍ଡ, ଜଣେ ଇମାମ୍‌ଙ୍କ ସମେତ ମୋଟ୍‌ ୫ ଜଣଙ୍କ ମୃତ୍ୟୁ ହୋଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ନୁହ ଜିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଧାରା ୧୪୪ ଜାରି ହୋଇଛି। ଉକ୍ତ ଘଟଣାରେ ୪୪ଟି ଏତଲା ରୁଜୁ ହୋଇଛି ଏବଂ ୭୦ ଜଣ ଗିରଫ ହୋଇଛନ୍ତି। ହିଂସା ଘଟଣାରେ ୭୦ ଜଣ ଆହତ ହୋଇଛନ୍ତି। ଉକ୍ତ ଘଟଣା ପରେ ହରିୟାଣାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ହାଇ ଆଲର୍ଟ ଜାରି ହୋଇଛି। ଏହି ହିଂସାରେ ଉଭୟ ପଟୁ ଦଙ୍ଗାକାରୀମାନେ ଗୁଳି ଚାଳନା କରିବା ଘଟଣା ଚିନ୍ତା ବଢ଼ାଇଛି।

Advertisment

୨ ପୁଲିସଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
ମସଜିଦ, ରେସ୍ତୋରାଁ ଜାଳିଦେଲେ
ନୁହ ହିଂସା ପଛରେ ବଡ଼ ଷଡ଼ଯନ୍ତ୍ର: ହରିୟାଣା ମୁଖ୍ୟମନ୍ତ୍ରୀ

ଗୁରୁଗ୍ରାମରେ ଗତରାତିରେ ଏକ ମସଜିଦ ଉପରେ ଆକ୍ରମଣ ହୋଇଥିଲା। ସେକ୍ଟର ୫୭‌ରେ ଥିବା ଏକ ନିର୍ମାଣାଧୀନ ମସଜିଦ ବାହାରେ ଗତରାତିରେ ଜଣେ ଇମାମ୍‌ ଏବଂ ଅନ୍ୟ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା। ଇମାମ୍‌ ମହମ୍ମଦ ସାଦ୍‌ଙ୍କର ଆକ୍ରମଣରେ ମୃତ୍ୟୁ ହୋଇଛି। ଅନ୍ୟ ଏକ ମସଜିଦ୍‌ ମଧ୍ୟ ଜାଳି ଦିଆଯାଇଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ନୁହରେ ଗୋରଖନାଥ ମନ୍ଦିରରେ ମଧ୍ୟ ଆକ୍ରମଣ ହୋଇଛି। ଉଗ୍ର ଜନତା ମନ୍ଦିରରେ ଆକ୍ରମଣ କରିବା ଦ୍ବାରା ଜଣେ ପୁରୋହିତ ଆହତ ‌ହୋଇଛନ୍ତି। ଏହି ଘଟଣା ପରେ ଏହି ଅଂଚଳର ସମସ୍ତ ଧାର୍ମିକ ଅନୁଷ୍ଠାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ନୁହ ଜିଲ୍ଲାରେ ହୋଇଥିବା ହିଂସା ଏକ ପୂର୍ବପ୍ରାୟାଜିତ ଷଡ଼ଯନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର ଆଜି ଚଣ୍ଡିଗଡ଼‌‌ରେ ଗୃହମନ୍ତ୍ରୀ ଅନିଲ ବିଜ ଏବଂ ଶୀର୍ଷ ପ୍ରଶାସନିକ ଏବଂ ପୁଲିସ ଅଫିସରଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରି ଉକ୍ତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଖଟ୍ଟର କହିଛନ୍ତି, ଜଳାଭି‌ଷେକ ଯାତ୍ରା ଏକ ଧାର୍ମିକ ମଞ୍ଚ ସହ ଜଡ଼ିତ। ଗତ କିଛି ବର୍ଷ ଧରି ଏହି ଯାତ୍ରା ହୋଇଆସୁଛି। କେବେ କୌଣସି ହିଂସା ଉପୁଜିନି। କିନ୍ତୂ ଚଳିତ ବର୍ଷର ହିଂସା ପଛରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି। କର୍ତ୍ତୃପକ୍ଷ ଏନେଇ ତଦନ୍ତ ଜାରି ରଖିଛନ୍ତି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।