ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ବୁରହାନ୍ ୱାନିର ତୃତୀୟ ଶ୍ରାଦ୍ଧବାର୍ଷିକୀ ଦିନ ହିଁ ଆତଙ୍କବାଦୀମାନେ ପୁଲୱାମା ପରି ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଜଣାଯାଇଛି । ପ୍ରାୟ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ନିକଟରେ ପୁଲୱାମାରେ ଆସି ପହଞ୍ଚି ସାରିଛନ୍ତି। ସୁରକ୍ଷାବାହିନୀକୁ ଟାର୍ଗେଟ୍ କରିବା ପାଇଁ ଏହି ଆତଙ୍କବାଦୀ ଗୋଷ୍ଠୀରେ ସ୍ନାଇପର ମଧ୍ୟ ରହିଥିବା ଜଣାପଡ଼ିଛି । ସେମାନେ ପୁଲୱାମାର ଜାତୀୟ ରାଜପଥକୁ ହିଁ ଟାର୍ଗେଟ୍ କରିବା ଯୋଜନା କରିଥିବା ଜଣାପଡ଼ିବା ପରେ ମିଳିତ ସୁରକ୍ଷା ବାହିନୀର ଏକ ଜରୁରୀ ବୈଠକରେ ନୂଆ ସୁରକ୍ଷା ରଣନୀତି ପ୍ରସ୍ତୁତ କରାଯାଇଛି । ଅବନ୍ତିପୁରାର ଚେଚିକୋଟ୍ ପ୍ଲାଜାରୁ ପୁଲୱାମାର ଗଲନ୍ଦେର ପର୍ଯ୍ୟନ୍ତ ଅଂଚଳ ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ରହିବ। ୱାନିର ଗୃହ ସହର ତ୍ରାଲ୍ରେ ହୋଇଥିବାରୁ ଆତଙ୍କବାଦୀମାନେ ପୁଲୱାମାରେ ଆକ୍ରମଣ ଯୋଜନା କରିଛନ୍ତି।
ଉଲ୍ଲେଖଯୋଗ୍ୟ ୱାନି ୨୦୧୬ ଜୁଲାଇ ୮ ତାରିଖରେ ଅନନ୍ତନାଗର କୋକେରନାଗ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲା। ୱାନି ନିପାତ ହେବା ଘଟଣାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା। କଶ୍ମୀରରେ ଦୀର୍ଘ ଦିନ ଧରି କର୍ଫ୍ୟୁ ବଳବତ୍ତର ରହିଥିଲା। ୱାନିର ଏନ୍କାଉଣ୍ଟର ପରେ ୪ ମାସ ଭିତରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦୦ରୁ ଅଧିକ ଆହତ ହୋଇଥିଲେ। ପାକିସ୍ତାନ ୱାନିକୁ ସମର୍ଥନ କରୁଥିଲା ଏବଂ ତାକୁ ଏକ ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲା। ତେବେ ପାକିସ୍ତାନ ଏବେ ଆନ୍ତର୍ଜାତିକ ସମୁଦାୟର ଚାପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କହୁଥିଲେ ମଧ୍ୟ ଅସଲରେ କୌଣସି ଫଳପ୍ରଦ ପଦକ୍ଷେପ ନେଉନାହିଁ ଏବଂ ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଉଛି।
ରାଜୌରିରେ ପ୍ରବଳ ଗୁଳି ବର୍ଷା, ୨ ଯବାନ ଆହତ
ଶ୍ରୀନଗର : ଜମ୍ମୁ କଶ୍ମୀରର ରାଜୌରି ଜିଲ୍ଲାରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛନ୍ତି। ଗତ ରାତିରେ ରାଜୌରିର ନୌସେରା ସେକ୍ଟର ସ୍ଥିତ ଖୋରି ବାବା ଅଞ୍ଚଳ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ବର୍ଷା କରିବା ଫଳରେ ୨ ଜଣ ଭାରତୀୟ ଯବାନ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭାରତ ପଟୁ ମଧ୍ୟ ପ୍ରଚଣ୍ଡ ଜବାବ ଦିଆଯାଇଛି। ଆଜି ପ୍ରାୟ ୩ ଘଣ୍ଟା ଧରି ଗୁଳି ଗୋଳା ବର୍ଷା ଯୋଗୁ ନିୟନ୍ତ୍ରଣ ରେଖା ଅଂଚଳରେ ଗ୍ରାମବାସୀମାନେ ଆତଙ୍କିତ ହୋଇ ରହିଛନ୍ତି। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ କେତେକ ପାକିସ୍ତାନୀ ପୋଷ୍ଟ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ଜୁନ୍ ୧୬ ତାରିଖରେ ପାକିସ୍ତାନ ପୁଞ୍ଚ୍ ଜିଲ୍ଲାରେ ଅସ୍ତ୍ରବିରତି ଉଲ୍ଳଂଘନ କରିଥିଲା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ସଂସଦରେ ସୂଚନା ଦେଇ କହିଥିଲେ ଯେ ପାକିସ୍ତାନ ଗତ ୬ ମାସ ମଧ୍ୟରେ ୧୨୪୮ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବର୍ଷର ପ୍ରଥମ ୩ ମାସରେ ପାକିସ୍ତାନ ପଟୁ ପ୍ରବଳ ଅସ୍ତ୍ରବିରତି ହୋଇଥିବାବେଳେ ପରବର୍ତ୍ତୀ ୩ ମାସରେ ଅସ୍ତ୍ରବିରତି ଉଲ୍ଲଂଘନ କମିଥିଲା। ଜାନୁଆରିରେ ପାକିସ୍ତାନ ପଟୁ ୨୦୩ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଫେବ୍ରୁଆରିରେ ୨୧୫, ମାର୍ଚ୍ଚରେ ୨୬୭, ଏପ୍ରିଲରେ ୨୩୪ , ମେ’ରେ ୨୨୧ ଏବଂ ଜୁନ୍ରେ ୧୦୮ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଗତ ମାର୍ଚ୍ଚ ମାସରେ ହୋଇଥିବା ଅସ୍ତ୍ରବିରତି ଉଲ୍ଳଂଘନରେ ୩ ଯବାନ ସହିଦ ହୋଇଥିଲେ।