ଟୋକିଓ: ଜାପାନର ଏକ ସହରରେ ବିଲେଇ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ବିଲେଇ ରାତି ଅଧରୁ କୁଆଡେ ପଳାଇ ଯାଇଥିବା କୁହାଯାଉଛି। ଏହା ପୂର୍ବରୁ ବିଲେଇ ବିପଜ୍ଜନକ ରାସାୟନିକ ପଦାର୍ଥ ଥିବା ଟ୍ୟାଙ୍କରେ ଖସି ପଡ଼ିଥିଲା। ହିରୋସୀମାର ଫୁକୁୟାମାରେ ଅଧିକାରୀମାନେ ବିଲେଇ ଖୋଜାରେ ଲାଗିଛନ୍ତି। ବିଲେଇ ପାଖକୁ ନ ଯିବା ଲାଗି ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସିସି ଟିଭି ଭିଡ଼ିଓ ଫୁଟେଜରୁ ଜଣାପଡୁଛି ରବିବାର ବିଳମ୍ବିତ ରାତିରେ ବିଲେଇକୁ ଏକ ପ୍ଲେଟିଂ ଫ୍ୟାକ୍ଟି୍ରୁ ବାହାରୁ ଥିବାର ଦେଖିବାକୁ ମିଳୁଛି। ବିଲେଇ ପଞ୍ଛାର ଚିହ୍ନ ହେକ୍ସାଭାଲାଣ୍ଟ କ୍ରୋମିୟମ ରଖାଯାଇଥିବା ୩ ମିଟର ଟ୍ୟାଙ୍କରେ ପଡ଼ିଯାଇଥିଲା। ଏହି ରାସାୟନିକ ପଦାର୍ଥ ଯୋଗୁ କ୍ୟା‌ନସର ହୋଇଥାଏ। ଏହାର ପ୍ରଭାବରେ ନିଶ୍ବାସ ଦେବାରେ ସମସ୍ୟା ଏବଂ ଶରୀରରେ ଜଳାପୋଡ଼ା ହୋଇଥାଏ।

Advertisment

ଅଧିକାରୀମାନେ କହିଛନ୍ତି ବହୁ ଖୋଜାଖୋଜି ପରେ ମଧ୍ୟ ବିଲେଇର ସନ୍ଧାନ ମିଳିନାହିଁ। ସେ ଜୀବିତ ଅଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।
ଫ୍ୟାକ୍ଟ୍ରିର ପ୍ରବନ୍ଧକ ଅକିହିରୋ କୋବାୟାଶି କହିଛନ୍ତି ସପ୍ତାହାନ୍ତ ଛୁଟି ପରେ କର୍ମଚାରୀମାନେ ଫେରି ଦେଖିଥିଲେ ରାସାୟନିକ ଥିବା ଟ୍ୟାଙ୍କର ଢାଙ୍କୁଣି ଆଶିଂକ ଫାଟି ଯାଇଛି। ସେମାନେ ବିଲେଇ ପଞ୍ଛା ଦେଖି ତାକୁ ଖୋଜିଥିଲେ। କିନ୍ତୁ ବିଲେଇ ମିଳି ନ ଥିଲା। ବିଶେଷଜ୍ଞଙ୍କ ଅନୁସାରେ ଏହି ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ବିଲେଇ ମରିଯିବାର  ଆଶଙ୍କା ରହିଛି। ତେବେ ସରକାରଙକ ଆଖିରୁ ନିଦ ହଜିଯାଇଥିବା କୁହାଯାଉଛି।