ୟୁପିରେ ହାଇ ଆଲର୍ଟ: ମନ୍ଦିର, ରେଳ ଷ୍ଟେସନରେ ଏଲଇଟିର ବିସ୍ଫୋରଣ ଧମକ

ଲକ୍ଷ୍ନୌ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଉତ୍ତରପ୍ରଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ଦେଇଛି। ଆସନ୍ତା ୮ ଓ ୧୦ ତାରିଖରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ରେଲେଓ୍ଵ ଷ୍ଟେସନରେ ଏହି ବିସ୍ଫୋରଣ କରାଯିବା ନେଇ ଧମକ ମିଳିବା ପରେ ପୁଲିସର ନିଦ ହଜି ଯାଇଛି। ଗୁଇନ୍ଦା ବିଭାଗ ମଧ୍ୟ ଏନେଇ ସତର୍କ କରାଯାଇବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ଓ କୃଷ୍ଣ ଜନ୍ମଭୂମି ମଥୁରା ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଜଣାପଡ଼ିଛି। ଏହା ସହ ରାଜ୍ୟର କେତେକ ବ୍ୟସ୍ତବହୁଳ ରେଲେଓ୍ଵ ଷ୍ଟେସନରେ ମଧ୍ୟ ଆକ୍ରମଣର ଧମକ ମିଳିବା ପରେ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ବିମାନ ବନ୍ଦର, ମନ୍ଦିର, ମସଜିଦ୍‌ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସନ୍ଦିଗ୍ଧ ଲୋକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ବଡ଼ ସପିଂ ମଲ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ବୋମା ରହିଥିବା ନେଇ ଗୁଜବ ହେବା ପରେ ଡଗ ସ୍କ୍ଵାଡ୍‌ ଓ ବୋମା ନିରୋଧୀ ଦଳକୁ ମଧ୍ୟ ଆଲର୍ଟ କରାଯାଇଛି।

ମିଳିଥିବା ଖବର ମୁତାବକ, ଏଲଇଟି ଗୋଷ୍ଠୀର ଏରିଆ କମାଣ୍ଡର ମୌଲାନା ଅମ୍ବୁ ଶେଖ୍‌୍‌ ଦ୍ୱାରା ସ୍ୱାକ୍ଷର ହୋଇଥିବା ଏକ ଚିଠି ନୂଆଦିଲ୍ଲୀ ଉତ୍ତର ରେଳବିଭାଗର ଡିଭିଜନାଲ ମ୍ୟାନେଜରଙ୍କ ନିକଟକୁ ଆସିଥିଲା। ଚିଠିଟିକୁ ନୂଆଦିଲ୍ଲୀ ଉତ୍ତର ରେଳ ବିଭାଗ ମେ’ ୨୯ ତାରିଖରେ ପାଇଥିଲେ। ଚିଠିରେ ଧମକ ଦିଆଯାଇଥିଲା ଯେ ୟୁପିର ସାହାରନପୁର ଏବଂ ହାପୁୁର ରେଳ ବିଭାଗ ସହ ଅନ୍ୟ ରେଳ ଷ୍ଟେସନ୍‌ ଗୁଡ଼ିକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ । ତେବେ ସବୁ ଜିଲ୍ଲା ପୁଲିସ ମୁଖ୍ୟମାନଙ୍କୁ ଏହି ଧମକ ସମ୍ପର୍କରେ ସତର୍କ କରାଇଦିଆଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅତିରିକ୍ତ ପୁଲିସ ଡିଜି ଆନନ୍ଦ କୁମାର କହିଛନ୍ତି। ଏନେଇ ୟୁପି ଡିଜିପି ଅଫିସ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଯାଇଛି। ଆନନ୍ଦଙ୍କ କହିବା ଅନୁଯାୟୀ ଏହି ଚିଠିଟି ପରିହାସପୂର୍ଣ୍ଣ ଲାଗୁଥିଲେ ମଧ୍ୟ ଏହାକୁ ବେଶ୍‌ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି ଏବଂ ୟୁପି ପୁଲିସ ୨୪ ଘଣ୍ଟା ସହର ଉପରେ ସତର୍କ ନଜର ରଖିଛନ୍ତି। ୨୦୦୫ ମସିହା ଜୁଲାଇ ୫ ତାରିଖରେ ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରି ମସଜିଦ୍‌ ପରିସରରେ ଏକ ଅସ୍ଥାୟୀ ରାମ ମନ୍ଦିର ଉପରେ ୫ ଜଣ ସଶସ୍ତ୍ର ଏଲଇଟି ଆତଙ୍କବାଦୀ ଆକ୍ରମଣ କରିଥିଲେ। କିନ୍ତୁ ଏହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ସିଆରପିଏଫ ଯବାନମାନେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପର କଡ଼ା ଜବାବରେ ଉକ୍ତ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବାରାଣାସୀରେ ସଙ୍କଟ ମୋଚନ ମନ୍ଦିର ଏବଂ ସୀତଲା ଘାଟ ମଧ୍ୟ ଅତୀତରେ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର ଟାର୍ଗେଟ୍‌ରେ ଥିଲା। ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାରେ ମଧ୍ୟ ଏହି ଆତଙ୍କବାଦୀ ସଂଗଠନର ହାତଥିଲା।

ସମ୍ବନ୍ଧିତ ଖବର