ଉତ୍ତରପ୍ରଦେଶରେ ହାଇ ଆଲର୍ଟ: ଅଲ୍‌ କାଏଦା ଶାଖା ସଂଗଠନର ପର୍ଦ୍ଦାଫାସ୍‌

ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ, ୨ ଅଲ୍‌କାଏଦା ଆତଙ୍କବାଦୀ ଗିରଫ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଗୁଇନ୍ଦା ସୂଚନା ମିଳିବାପରେ ପଶ୍ଚିମ ଉତ୍ତରପ୍ରଦେଶ ନିକଟସ୍ଥ ହର୍‌ଦୋଇ, ସୀତାପୁର, ବାରବାଙ୍କୀ, ଉନ୍ନାଓ ଏବଂ ରାଏବରେଲି ଭଳି ବିଭିନ୍ନ ଜିଲ୍ଲାରେ ହାଇ ଆଲର୍ଟ‌୍ ଜାରି ହୋଇଛି। ଉତ୍ତରପ୍ରଦେଶ ଏଟିଏସ୍‌ (ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌) ଆଜି ଲକ୍ଷ୍ନୌରେ ଚଢ଼ଉ କରି ଅଲ୍‌ କାଏଦାର ଏକ ଶଖା ସଂଗଠନର ପର୍ଦ୍ଦାଫାସ କରିଛି। ଏଟିଏସ୍‌ ଚଢ଼ଉ କରିଥିବା ଘରେ ୭ ଜଣ ରହୁଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଖସି ପଳାଇଛନ୍ତି। ୨ ଜଣଙ୍କୁ ୟୁପି ଏଟିଏସ୍‌ ଗିରଫ କରିଛି। ସେମାନେ ଅଲ୍‌କାଏଦା ଆତଙ୍କବାଦୀ ‌ବୋଲି ଜଣାପଡ଼ିଛି। ଅଲ୍‌କାଏଦାର ଅନ୍‌ସର ଗଜୱାତ ଉଲ୍‌ ହିନ୍ଦ ସହ ସେମାନଙ୍କର ସମ୍ପୃକ୍ତି ଅଛି। ଚଢ଼ଉ ସମୟରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ବି‌ସ୍ଫୋରକ ମଧ୍ୟ ଜବତ ହୋଇଛି। ଆତଙ୍କବାଦୀମାନେ ଲକ୍ଷ୍ନୌରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ ବୋଲି ଜଣାପଡ଼ିଛି।

ଉତ୍ତରପ୍ରଦେଶ ପୁଲିସ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଏଟିଏସ୍‌ର ଉଦ୍ୟମ ବଳରେ ଅଲ୍‌ କାଏଦାର ବଡ଼ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ପାକିସ୍ତାନ-ଆଫଗାନିସ୍ତାନ ସୀମାର ପେଶାୱାରକୁ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଥିବା ସେ କହିଛନ୍ତି। ମିନାଜ୍‌ ଅହମଦ ଏବଂ ମସିରୁଦ୍ଦିନ୍‌ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି ୨ ଲକ୍ଷ୍ନୌ ବାସିନ୍ଦାଙ୍କୁ ଗିରଫ କରାଯାଇଛି। ଲକ୍ଷ୍ନୌ ଏବଂ କାନପୁରରେ ସେମାନଙ୍କ ସହଯୋଗୀ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନେ ଲକ୍ଷ୍ନୌ ସହରରେ ଆକ୍ରମଣ ଯୋଜନା କରିଥିଲେ। ଶାହିଦ ନାମକ ଜଣେ ବ୍ୟକ୍ତିର ଘରେ ସର୍ଚ୍ଚ‌୍ ଅପରେସନ୍‌ ହୋଇଥିବା ଜଣାପଡ଼ିଛି। ଶାହିଦ ୫ ବର୍ଷ ଧରି ସାଉଦି ଆରବରେ ରହୁଥିଲା। ଶାହିଦ ଅଲ୍‌କାଏଦା ଗୋଷ୍ଠୀ ସହ ନିୟମିତ ଯୋଗାଯୋଗରେ ରହୁଥିଲା। ତେବେ ଶାହିଦ୍‌କୁ ଗିରଫ କରାଯିବା ପୂର୍ବରୁ ସେ କିଛି କାଗଜପତ୍ର ଜାଳିଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର