୩୦ ଦିନ ପାଇଁ ରାଜୀବଙ୍କୁ ସୁରକ୍ଷା ଦେଲେ ହାଇକୋର୍ଟ

କୋଲକାତା: ଶାରଦା ଚିଟ୍‌ଫଣ୍ଡ୍‌ ମାମଲାରେ କୋଲକାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାରଙ୍କୁ କୋଲକାତା ହାଇକୋର୍ଟ ୧ ମାସ ସୁରକ୍ଷା ଦେଇଛନ୍ତି। ଫଳରେ ଏହି ସମୟ ମଧ୍ୟରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ତେବେ ରାଜୀବ ଉକ୍ତ ମାମଲାରେ ସିବିଆଇ ପକ୍ଷରୁ ଜାରି ନୋଟିସ୍‌କୁ ରଦ୍ଦ କରିବାକୁ ଆବେଦନ କରିଛନ୍ତି। ନିର୍ବାଚନ ଆଚରଣବିଧି ପ୍ରତ୍ୟାହାର ପରେ ପଶ୍ଚିମ ବଙ୍ଗ ସରକାର ରାଜୀବଙ୍କୁ ସିଆଇଡି ଏଡିଜି ଭାବେ ଅବସ୍ଥାପିତ କରିଛନ୍ତି। ଏହାପରେ ରାଜୀବ କୋଲକାତା ହାଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଶାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ରାଜୀବଙ୍କୁ ହେପାଜତରେ ପଚରାଉଚରା କରିବା ପାଇଁ କୋର୍ଟର ଅନୁମତି ଚାହିବା ସହିତ ତାଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଥିଲା। ତେବେ ସେତେବେଳେ ରାଜୀବ ଛୁଟିରେ ବାରଣାସୀ ଯାଇଥିଲେ ବୋଲି ପଶ୍ଚିମ ବଙ୍ଗ ସିଆଇଡି ସୂଚନା ଦେଇଥିଲା।

ଶାରଦା ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେବା ଆଗରୁ ରାଜୀବ ଏହାର ତଦନ୍ତ ଦାୟିତ୍ୱରେ ଥିଲେ। ସେତେବେଳେ ରାଜୀବ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ସିବିଆଇ ତାଙ୍କୁ ନୋଟିସ୍‌ ଜାରି କରି ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ସିବିଆଇ କୋଲକାତାରେ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ସେତେବେଳେ ଏହି ଘଟଣା ପଶ୍ଚିମ ବଙ୍ଗରେ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର