ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଗତବର୍ଷ ଶିଖ୍ ସମ୍ପ୍ରଦାୟ ଉପରେ ପଗଡ଼ିକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ବାରାଣସୀ ସ୍ୱତନ୍ତ୍ର କୋର୍ଟ ରିଭିଜନ ପିଟିସନ ଗ୍ରହଣ କରିବା ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଫଳରେ ବର୍ତ୍ତମାନ ବାରାଣସୀ ସାଂସଦ-ବିଧାୟକ କୋର୍ଟରେ ରିଭିଜନ ପିଟିସନ ପାଇଁ ବାଟ ଖୋଲିବ। ରାହୁଲ ଗାନ୍ଧୀ ତାଙ୍କର ତିନିଦିନିଆ ଆମେରିକା ଗସ୍ତ ସମୟରେ ଦେଇଥିବା ମନ୍ତବ୍ୟରୁ ଏହି ମାମଲା ଆରମ୍ଭ ହୋଇଛି, ଯେଉଁଥିରେ ସେ କହିଥିଲେ ଯେ ଭାରତରେ ଶିଖ୍ମାନଙ୍କୁ ପଗଡି କିମ୍ବା କଡ଼ା ପିନ୍ଧିବାକୁ ଅନୁମତି ନାହିଁ ଏବଂ ଗୁରୁଦ୍ୱାରାରେ ପ୍ରବେଶ କରିବାକୁ ଅନୁମତି ନାହିଁ। ସେ କହିଛନ୍ତି, ଭାରତରେ ଲଢ଼େଇ ହେଉଛି ଜଣେ ଶିଖ୍ଙ୍କୁ ପଗଡି ପିନ୍ଧିବାକୁ ଅନୁମତି ଦିଆଯିବ କି ନାହିଁ। ଜଣେ ଶିଖ୍ଙ୍କୁ କଡ଼ା ପିନ୍ଧିବାକୁ ଅନୁମତି ଦିଆଯିବ କିମ୍ବା ଗୁରୁଦ୍ୱାରାକୁ ଯିବାକୁ ଅନୁମତି ଦିଆଯିବ କି ନାହିଁ। ଏହି ଲଢ଼େଇ କେବଳ ଶିଖ୍ମାନଙ୍କ ପାଇଁ ନୁହେଁ, ବରଂ ସମସ୍ତ ଧର୍ମ ପାଇଁ ବୋଲି ରାହୁଲ ଗାନ୍ଧୀ ୨୦୨୪ରେ ଭର୍ଜିନିଆରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ କହିଥିଲେ।
ନଭେମ୍ବର ୨୮, ୨୦୨୪ରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଶୁଣାଣି ପରେ ସାଂସଦ-ବିଧାୟକ କୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ନାଗେଶ୍ବର ମିଶ୍ର ବାରାଣସୀ ସେସନ୍ସ କୋର୍ଟରେ ଏକ ରିଭିଜନ ପିଟିସନ ଦାଖଲ କରିଥିଲେ, ଯାହାକୁ ଜୁଲାଇ ୨୧, ୨୦୨୫ରେ ସ୍ୱତନ୍ତ୍ର ବିଚାରପତି (ସାଂସଦ-ବିଧାୟକ କୋର୍ଟ) ଗ୍ରହଣ କରିଥିଲେ। ରାହୁଲ ଗାନ୍ଧୀ ଆହ୍ଲାବାଦ ହାଇକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ସେପ୍ଟେମ୍ବର ୩ରେ ରାୟ ସଂରକ୍ଷିତ ରଖିଥିଲେ।