ହାଇକୋର୍ଟ ବିଚାରପତି ନିଯୁକ୍ତି କ‌ଲେଜିୟମ: ୧୧ ରୁ ୧୦ ସୁପାରିସ ଉପରେ ମୋହର

ନୂଆଦିଲ୍ଲୀ : ହାଇକୋର୍ଟମାନଙ୍କରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ୨୫୦ଟି ନାମ ସୁପାରିସ କରିଥିଲେ। ପ୍ରାୟ ସମସ୍ତ ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କଲେଜିୟମ ସେପ୍ଟେମ୍ବର ୨୯, ୨୦୨୧ ରୁ ଜୁଲାଇ ୨୫, ୨୦୨୨ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ୧୧ଟି ନାମ ସୁପାରିସ କରିଥିଲେ। ସେଥରୁ ୧୦ଟିକୁ କେନ୍ଦ୍ର ସରକାର ଗ୍ରହଣ କରିସାରିଛନ୍ତି। ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ନେଇ ଆଇନଜୀବୀ ସୁମନା ପଟ୍ଟନାୟକଙ୍କ ନାମ ଏବେବି କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ରହିଛି।

କଲେଜିୟମ ସେପ୍ଟେମ୍ବର ୨୯, ୨୦୨୧ରେ ଜୁଡିସିଆଲ୍‌ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ, ଶଶିକାନ୍ତ ମିଶ୍ର, ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ କିଶୋର ସାହୁ; ଜାନୁଆରି ୨୯, ୨୦୨୧ରେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ, ଭି. ନରସିଂହ ଓ ଏମ୍‌ଏସ୍‌ ରମଣା; ଜୁଲାଇ ୨୫, ୨୦୨୨ରେ ଜୁଡିସିଆଲ୍‌ ଅଧିକାରୀ ଗୌରୀଶଙ୍କର ଶତପଥୀ, ଚିତ୍ତରଞ୍ଜନ ଦାଶ ଏବଂ ଆଇନଜୀବୀ ସୁମନା ପଟ୍ଟନାୟକଙ୍କ ନାମ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁମୋଦନ କରିଥିଲେ।

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪ ରହିଛି। ସୁମନା ପଟ୍ଟନାୟକଙ୍କୁ ନିଯୁକ୍ତ ପ୍ରଦାନ କରାଗଲେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୫ କୁ ବୃଦ୍ଧି ପାଇବ। ଓଡ଼ିଶା ହାଇକୋର୍ଟର ମଞ୍ଜୁର ବିଚାରପତିଙ୍କ ସଂଖ୍ୟା ୩୩ ଥିବାବେଳେ ଆହୁରି ୮ ଟି ପଦ ଖାଲିରହିବ। କଲେଜିୟମ ମଧ୍ୟ ଅନ୍ୟ ହାଇକୋର୍ଟରେ କାର୍ଯ୍ୟରତ ଚାରି ଜଣ ବିଚାରପତିଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିସ କରିଥିଲେ। ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହ, କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା, ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ସୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଥିବା ବେଳେ ଓଡ଼ିଶା ହ‌ାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଭାବେ ବଦଳି କରାଯାଇଛି। ଅକ୍ଟୋବର ୨୦୧୮ରୁ ଏପ୍ରିଲ ୨୦୨୧ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ କେବଳ ୪ ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଥିଲା। ଅକ୍ଟୋବର ୨୦୧୮ ରୁ ନଭେମ୍ବର ୧୭ , ୨୦୧୯ ମଧ୍ୟରେ ପ୍ରାକ୍ତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମଙ୍କ ଦ୍ବାରା ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ନିମନ୍ତେ ୩ ଜଣଙ୍କ ନାମ ସୁପାରିସ କରାଯାଇଥିଲା। ନଭେମ୍ବର ୧୮, ୨୦୧୯ ରୁ ଏପ୍ରିଲ ୨୩,୨୦୨୧ ମଧ୍ୟରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଓଡ଼ିଶା ହାଇକୋର୍ଟ ପାଇଁ ଜଣଙ୍କ ନାମ ସୁପାରିସ କରିଥିଲେ। ଉପରୋକ୍ତ ୪ ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଜଷ୍ଟିସ ଏନ୍‌ଭି ରମଣା ହାଇକୋର୍ଟମାନଙ୍କରେ ବିଚାରପତି ପଦ ପୂରଣ ପାଇଁ ନାମ ସୁପାରିସ ସହ ବିଭିନ୍ନ ଫୋରମରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ପରିଣାମ ସ୍ବରୂପ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ସରକାର ୨୬୬ ଜଣଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ସେହି ଭଳି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଡେଙ୍କ କାର୍ଯ୍ୟକାଳରେ ୧୦୪ ଏବଂ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳରେ ୧୦୭ ଜଣ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ହୋଇଥିଲା। ଜଷ୍ଟିସ ଏନ୍‌ଭି ରମଣା ଚଳିତ ମାସ ୨୬ରେ ଅବସର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର