ଚଣ୍ଡୀଗଡ଼: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମଙ୍ଗଳବାର ଏକ ରାୟରେ କହିଛନ୍ତି ଯେ ମୃତ ସ୍ବାମୀଙ୍କ ସାନଭାଇକୁ ବିବାହ କରିଥିବା ସ୍ତ୍ରୀ ଫ୍ୟାମିଲି ପେନ୍‌ସନ ପାଇପାରିବ। ଜଷ୍ଟିସ୍ ଏମ୍‌ଏସ୍‌ ରାମଚନ୍ଦ୍ର ରାଓ ଓ ଜଷ୍ଟିସ୍ ସୁଖବିନ୍ଦର କୌରଙ୍କ ଡିଭିଜନ ବେଞ୍ଚ ୧୯୭୫ ଜୁନ୍ ମାସରେ ‘ଚାଦର ଚୁନି’ ଉତ୍ସବରେ ମୃତ ସ୍ବାମୀଙ୍କ ସାନଭାଇ (ଦିଅର)କୁ ବିବାହ କରିଥିବା ମହିଳାଙ୍କୁ ପୁଣି ଫ୍ୟାମିଲି ପେନସନ ଦେବା ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଆବେଦନକାରିଣୀ ମହିଳା ତାଙ୍କର ଫ୍ୟାମିଲି ପେନସନ ଦାବିକୁ ପ୍ରତ୍ୟାଖ୍ୟାନ କରିଥିବା କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସିଏଡି)ଙ୍କ ଏପ୍ରିଲ ୨୯, ୨୦୧୬ର ଆଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ। ସେ ଦିଅରକୁ ଦ୍ବିତୀୟ ବିବାହ କରିଥିବାରୁ ତାଙ୍କୁ ଫ୍ୟାମିଲି ପେନସନ ଦେବାକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ତେବେ ହାଇକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟର ପୂର୍ବ ନଜିର ଦେଇ ମହିଳାଙ୍କୁ ଫ୍ୟାମିଲି ପେନସନ ଦେବା ପୁଣି ଆରମ୍ଭ କରିବାକୁ ଆଦେଶ ଦେଇଥିଲେ। କାରଣ ଏହି ପେନସନ ଦ୍ବାରା ମୃତ ସ୍ବାମୀଙ୍କ ଉପରେ ପୂର୍ବରୁ ନିର୍ଭର କରି ଆସୁଥିବା ସମ୍ପର୍କୀୟମାନଙ୍କର ଭରଣପୋଷଣ ହେବ।