ଉନ୍ନାଓ ଦୁଷ୍କର୍ମ ମାମଲା :ଯୋଗୀଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା
ସିବିଆଇକୁ ତଦନ୍ତ ଦାୟିତ୍ୱ ହାଇକୋର୍ଟଙ୍କ ପ୍ରଶ୍ନ : ବିଧାୟକ ଗିରଫ ହୋଇନାହାନ୍ତି କାହିଁକି?
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ଓ ହାଜତ ମୃତ୍ୟୁ ମାମଲାକୁ ନେଇ ଉତ୍ତରପ୍ରଦେଶ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକଙ୍କୁ ଗିରଫ ନ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ଆଜି ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳାର ଚରମ ଅଧୋଗତି ଘଟିଛି ବୋଲି କୋର୍ଟ କହିବା ସହ ମୁଖ୍ୟ ଅଭିଯୁକ୍ତ ଗିରଫ ନ ହେବା ପଛର ରହସ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ମାମଲାର ତଦନ୍ତ ପ୍ରକ୍ରିୟା ଅନୁଧ୍ୟାନ କରୁଥିବା ବେଳେ ଅଭିଯୁକ୍ତ ବିଧାୟକଙ୍କୁ ପ୍ରମାଣ ନଥିବା ବାହାନାରେ ସୁରକ୍ଷା ଦେଇଚାଲିଥିବାରୁ ଏହାକୁ ଦଳୀୟ ମହଲରେ ମଧ୍ୟ କଡ଼ା ସମାଲୋଚନା କରାଯାଇଛି। ମାମଲା ସାଂଘାତିକ ରୂପ ନେଇଥିବା ବେଳେ ସରକାର ଆଜି ସିବିଆଇକୁ ତଦନ୍ତ ଭାର ଦେଇଛନ୍ତି। ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ ବୋଲି ଜଣାପଡ଼ିଛି। ପୀଡ଼ିତା ମା’ଙ୍କ ବୟାନକ୍ରମେ ବିଧାୟକ ସେଙ୍ଗରଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ପୋକ୍ସୋ ଆଇନରେ ଏଫ୍ଆଇଆର୍ ରୁଜୁ ହୋଇଛି।
ଆଜି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବାର କିଛି ଘଣ୍ଟା ପୂର୍ବରୁ ସେ ଲକ୍ଷ୍ନୌର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ, କିନ୍ତୁ ପୁଲିସ ତାଙ୍କୁ ଗିରଫ କରିବା ପରିବର୍ତ୍ତେ କହିଛି ଯେ ମାମଲାର ତଦନ୍ତ ଜାରି ରହିଛି ଏବଂ ଆବଶ୍ୟକ ପଡ଼ିଲେ ବିଧାୟକଙ୍କୁ ଡକାଯିବ। ତଦନ୍ତ କରୁଥିବା ଏସ୍ଆଇଟି ଆଜି ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଏହାପରେ ମାମଲା ସିବିଆଇକୁ ହସ୍ତାନ୍ତର କରିବା ନିଷ୍ପତ୍ତି ନିଆଯାଇଥିଲା। ଖୁବ୍ଶୀଘ୍ର ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ। ସେହିପରି ପୀଡ଼ିତା ପିତାଙ୍କ ହାଜତ ମୃତ୍ୟୁ ମାମଲାକୁ ନେଇ ମଧ୍ୟ ଏକ ପୃଥକ୍ ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି। ଏସଆଇଟି ମୁଖ୍ୟ ଏବଂ ଲକ୍ଷ୍ନୌ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ରାଜୀବ କ୍ରୀଷ୍ଣାଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଚିଫ୍ ମେଡିକାଲ ସୁପରିନଟେଣ୍ଡେଣ୍ଟ୍ ଡକ୍ଟର ଡିକେ ଦ୍ୱିବେଦୀ ଏବଂ ଇଏମ୍ଓ ଡକ୍ଟର ପ୍ରଶାନ୍ତ ଉପାଧ୍ୟାୟଙ୍କୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉନ୍ନାଓ ମାମଲାରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଲାଭଳି ବୟାନ ଦେଇ ବିବାଦରେ ରହିଛନ୍ତି। ସେମାନେ ହେଲେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ। ଗୋଟିଏ ପଟେ ସେମାନେ ନାରୀ ସୁରକ୍ଷା କଥା କହିଥିବା ବେଳେ ଅନ୍ୟପଟେ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି।
ଗିରଫ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ: ସରକାର
ଲକ୍ଷ୍ନୌ : ଉନ୍ନାଓ ଦୁଷ୍କର୍ମ ଓ ହାଜତ ମୃତ୍ୟୁ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଗିରଫ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି ଆଜି ସରକାର ହାଇକୋର୍ଟରେ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ ୟୁପି ସରକାରଙ୍କୁ ଏ ବାବଦ ପ୍ରଶ୍ନ କରି ତତ୍କାଳ ଉତ୍ତର ଲୋଡ଼ିଥିବା ବେଳେ ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ଏବେ ସୁଦ୍ଧା ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବିଧାୟକଙ୍କୁ ଗିରଫ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ତେବେ ସେଙ୍ଗରଙ୍କ ଗିରଫ ନିଷ୍ପତ୍ତି ସିବିଆଇ ନେବ ବୋଲି ଆଜି ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ୟୁପି ପ୍ରଧାନ ସଚିବ ଅରବିନ୍ଦ କୁମାର ଏବଂ ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି।
ପୀଡ଼ିତାଙ୍କ ଦାବି : ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ
ଲକ୍ଷ୍ନୌ : ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଜି ପୀଡ଼ିତା ଆକୁଳ ନିବେଦନ କରିଛନ୍ତି। ୟୁପି ସରକାର ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୀଡ଼ିତା ଜଣଙ୍କ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ଦାଦାଙ୍କ ସୁରକ୍ଷା ଲାଗି ପ୍ରଥମେ ବିଜେପିି ବିଧାୟକଙ୍କୁ ଗିରଫ କରାଯାଉ ଏବଂ ତା’ପରେ ତଦନ୍ତ ତ୍ୱରାନ୍ଵିତ ହେଉ।