ରାବଡ଼ୀଙ୍କ ଘରେ ହ‌ାଇଡ୍ରାମା, ଫେରିଲେ ତେଜପ୍ରତାପଙ୍କ ପତ୍ନୀ ଐଶ୍ବର୍ଯ୍ୟା

ପାଟନା : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ରେ ସଜା କାଟୁଥିବାବେଳେ ତାଙ୍କ ଅନୁପସ୍ଥିତିରେ ଏବେ ତାଙ୍କ ପରିବାରର ସ୍ଥିତି ଆଦୌଁ ଠିକ୍‌ ନାହିଁ। ଲାଲୁଙ୍କ ବଡ଼ବୋହୂ ତଥା ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ବର୍ଯ୍ୟା ରାୟ ପ୍ରଥମ ଥର ପାଇଁ ନିଜ ବିରୋଧରେ ହେଉଥିବା ଅନ୍ୟାୟ ବିରୋଧରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀ ଏବଂ ଝିଅ ମିସା ଭାରତୀ ତାଙ୍କୁ ନିର୍ଯାତନା ଦେଉଥିବା ଐଶ୍ବର୍ଯ୍ୟା ଅଭିଯୋଗ କରିଛନ୍ତି। ତାଙ୍କୁ ବଳପୂର୍ବକ ଘରୁ ତଡ଼ି ଦିଆଯାଇଥିବା ଅଭିଯୋଗ କରି ସେ ରାବଡ଼ୀ ଦେବୀଙ୍କ ବାସଭବନ ବାହାରେ ଗତକାଲିଠାରୁ ଧାରଣାରେ ବସିଥିଲେ। ଐଶ୍ବର୍ଯ୍ୟାଙ୍କ ସହ ତାଙ୍କ ବାପା ଚନ୍ଦ୍ରିକା ରାୟ ଏବଂ ମା’ ପୂର୍ଣ୍ଣିମା ରାୟ ମଧ୍ୟ ଧାରଣାରେ ବସିଥିଲେ। ତେବେ ଚନ୍ଦ୍ରିକା‌ ରାୟ ଉକ୍ତ ମାମଲାରେ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ମାମଲାରେ ଡିଜିପି ହସ୍ତକ୍ଷେପ କରିବାପରେ ଏବଂ ଚନ୍ଦ୍ରିକାଙ୍କର ବହୁ ସଂଖ୍ୟାରେ ସମର୍ଥକ ଧାରଣାରେ ଯୋଗ ଦେବାପରେ ରାବଡ଼ୀ ଦେବୀ ଶେଷରେ ଐଶ୍ବର୍ଯ୍ୟାଙ୍କୁ ତାଙ୍କ ଘରକୁ ପ୍ରବେଶ କରିବା‌ପାଇଁ ଅନୁମତି ଦେଇଥିଲେ। ଐଶ୍ବର୍ଯ୍ୟା‌ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୂ ଏବଂ ନଣନ୍ଦ ଲଗାତାର ତାଙ୍କୁ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କୁ ଘରର ରୋଷେଇ ଘରକୁ ଯିବାର ଅନୁମତି ମିଳୁନଥିଲା। ଗତ ୩ ମାସ ହେବ ସେ ତାଙ୍କ ଘର ଖାଦ୍ୟ କିଛି ଖାଉନଥିଲେ। ତାଙ୍କ ପାଇଁ ତାଙ୍କ ବାପଘରୁ ଖାଇବା ଆସୁଥିବା ସେ କହିଛନ୍ତି। ଅନ୍ୟପ‌କ୍ଷେ ମିସାଙ୍କ ପାଇଁ ଦୁଇ ଭାଇ ତେଜ ପ୍ରତାପ ଏବଂ ତେଜସ୍ବୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ଏବଂ ତେଜପ୍ରତାପଙ୍କ ସହ ତାଙ୍କ ସମ୍ପର୍କ ଆଦୌ ସୁଧୁରି ପାରୁନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର