ନୂଆଦିଲ୍ଲୀ: କିଛି ସପ୍ତାହ ତଳେ ଲଣ୍ଡନ୍ରୁ ଚୋରି ହୋଇଯାଇଥିବା ଗୋଟାଏ ସୌଖୀନ ବେଣ୍ଟ୍ଲି କାର୍ ସମ୍ପ୍ରତି ପାକିସ୍ତାନର କରାଚୀସ୍ଥିତ ଏକ ବଙ୍ଗଳାରେ ଠାବ କରାଯାଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
ଚୋରି ହୋଇଥିବା ‘ବେଣ୍ଟ୍ଲି ମଲ୍ସାନି ସେଡାନ୍’ କାର୍ଟି ସମ୍ଭ୍ରାନ୍ତବର୍ଗର ଆବାସିକ ଅଞ୍ଚଳ ନିକଟ କରାଚୀର ‘ଡିଏଚ୍ଏ’ ଅଞ୍ଚଳ ଅନ୍ତର୍ଗତ ଗୋଟାଏ ଘରେ ରଖାଯାଇଛି ବୋଲି ‘ୟୁକେ ନ୍ୟାସ୍ନାଲ୍ କ୍ରାଇମ୍ ଏଜେନ୍ସି’ଠାରୁ ସୂଚନା ପାଇବା ପରେ କରାଚୀର ‘ଦି କଲେକ୍ଟୋରେଟ୍ ଅଫ୍ କଷ୍ଟମ୍ ଏନ୍ଫୋର୍ସମେଣ୍ଟ୍’ (ସିସିଇ) ଚଢ଼ାଉ କରିଥିଲା।
ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଚୋରିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ‘ବେଣ୍ଟ୍ଲି’ରେ ଥିବା ଟ୍ରେସିଙ୍ଗ୍ ଟ୍ରାକର୍ ସୁଇଚ୍ କାଢ଼ି ଦେବାକୁ କିଂବା ବନ୍ଦ କରିବାରେ ବିଫଳ ହୋଇଥିଲେ। ସେଥିପାଇଁ ଇଂଲଣ୍ଡ୍ର କର୍ତ୍ତୃପକ୍ଷମାନେ ଆତ୍ୟାଧୁନିକ ‘ଟ୍ରାକିଙ୍ଗ୍ ସିଷ୍ଟମ୍’ ବଳରେ କାର୍ର ସଠିକ୍ ଅବସ୍ଥିତି ନିରୂପଣ କରିପାରିଥିଲେ।
ଚଢ଼ାଉ ବେଳେ ଅଧିକାରୀମାନେ ପାକିସ୍ତାନୀ ପଞ୍ଜିକରଣ ଏବଂ ନମ୍ବର ପ୍ଲେଟ୍ ଥିବା ଗୋଟାଏ ‘ବେଣ୍ଟ୍ଲି’ ପାଇଥିଲେ। ତଦନ୍ତ କରିବା ପରେ ସେମାନେ ଜାଣିଲେ ଯେ, ଇଂଲଣ୍ଡ୍ କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ଚୋରି ଗାଡ଼ିର ବିବରଣୀ ସହିତ ଉଦ୍ଧାର ହୋଇଥିବା କାର୍ର ଚେସିସ୍ ନମ୍ବର ମେଳଖାଉଛି।
/sambad/media/post_attachments/wp-content/uploads/2022/09/Bently1.jpg)
ମାଲିକ ଆବଶ୍ୟକ କାଗଜପତ୍ର ଦେଇ ନ ପାରିବାରୁ ଉକ୍ତ କାର୍ଟିକୁ ଜବତ କରାଗଲା। ତାଙ୍କୁ ଏବଂ ତାଙ୍କୁ ସେ ସୌଖୀନ୍ କାର୍ ବିକ୍ରୟ କରିଥିବା ଦଲାଲଙ୍କୁ ବି ଗିରଫ କରାଗଲା। ଜବତ୍ ହୋଇଥିବା କାର୍ଟିର ପଞ୍ଜିକରଣ ଜାଲ୍ ବୋଲି ଜଣାପଡ଼ିଥିବା କଥା ତଦନ୍ତକାରୀମାନେ କହିଛନ୍ତି।
ଏହି ରାକେଟ୍ରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଗୋଟାଏ ପୂର୍ବ ୟୁରୋପୀୟ ଦେଶରେ ଥିବା ଶୀର୍ଷସ୍ତରୀୟ କୂଟନୀତିଜ୍ଞଙ୍କ କାଗଜପତ୍ର ବ୍ୟବହାର କରି ପାକିସ୍ତାନକୁ କାର୍ ଆମଦାନି କରୁଛନ୍ତି ବୋଲି ବିଶେଷସୂତ୍ରରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି।
କଷ୍ଟମ୍ ଅଧିକାରୀମାନେ ଦାଏର କରିଥିବା ‘ଏଫ୍ଆଇଆର୍’ ଅନୁସାରେ, ଚୋରି କାର୍ଟିକୁ ଚୋରାରେ ଅଣାଯିବା ବେଳେ ୩୦୦ ନିୟୁତରୁ ଅଧିକ ଟଙ୍କାର ଟିକସ ଫାଙ୍କି ହୋଇଛି। ଏହି ରାକେଟ୍ର ମୁଖ୍ୟ ମାଷ୍ଟର୍ମାଇଣ୍ଡ୍କୁ ଖୋଜା ଚାଲିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।