ସୁରକ୍ଷା ପ୍ରସ୍ତୁତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ଭାରତର ସୁରକ୍ଷା ପ୍ରସ୍ତୁତି ତଥା ବିଶ୍ବର ପରିସ୍ଥିତିକୁ ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଉପସ୍ଥିତ ଥିଲେ। ବୈଠକରେ ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ଖାରକିଭରେ ମୃତ୍ୟୁବରଣ କରିଥିବା ନବୀନ ଶେଖରପ୍ପାଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ବର ବୈଷୟିକ ବ୍ୟବହାର ଏବଂ ଭାରତର ଅଗ୍ରଗତିର ବିସ୍ତୃତ ସମୀକ୍ଷା କରି ଦେଶର ସୁରକ୍ଷା ଉପକରଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବୈଠକରେ ସୀମାନ୍ତ ଅଞ୍ଚଳରେ ତଥା ସାମୁଦ୍ରିକ ତଥା ଆକାଶ ମାର୍ଗରେ ଭାରତର ସୁରକ୍ଷା ପ୍ରସ୍ତୁତିର ଅତ୍ୟାଧୁନିକ ବିକାଶ ଏବଂ ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଯାଇଥିଲା। ରୁଷ୍‌-ୟୁକ୍ରେନ ଯୁଦ୍ଧ ଦ୍ବାରା ପଡ଼ୋଶୀ ଦେଶର କିଛି ନାଗରିକଙ୍କ ସହ ଭାରତୀୟ ନାଗରିକଙ୍କୁ ଥଇଥାନ କରିବା ପାଇଁ ଅପରେସନ୍ ଗଙ୍ଗାର ସବିଶେଷ ତଥ୍ୟ ସହ ୟୁକ୍ରେନର ଅତ୍ୟାଧୁନିକ ବିକାଶ ସମ୍ପର୍କରେ ମୋଦୀଙ୍କୁ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଫେବ୍ରୁଆରି ଶେଷ ସପ୍ତାହରୁ ପ୍ରଧାନମନ୍ତ୍ରୀ ଲଗାତାର ବୈଠକ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର