ନୂଆଦିଲ୍ଲୀ: ଦ୍ୱାଦଶ ବୋର୍ଡ ପରୀକ୍ଷା ଓ ପ୍ରବେଶିକା ପରୀକ୍ଷା ନେଇ ଆସନ୍ତାକାଲି ବସିବ ଉଚ୍ଚ ସ୍ତରୀୟ ବୈଠକ | ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ରାଜ୍ୟ ପରୀକ୍ଷା ବୋର୍ଡର ଚେୟାରମ୍ୟାନ୍ ତଥା ହିତାଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ନେଇ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ। ଆସନ୍ତାକାଲି ଦିନ ୧୧.୩୦ରେ ଏନେଇ ଭର୍ଚୁଆଲ୍ ମିଟିଂ ଅନୁଷ୍ଠିତ ହେବ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ |
ଟୁଇଟ କରି ଏବିଷୟରେ ସୂଚନା ଦେବା ସହ ଛାତ୍ର, ଅଭିଭାବକ, ଶିକ୍ଷକ ଏବଂ ଅନ୍ୟମାନଙ୍କ ମତାମତ ଲୋଡିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ | ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ | ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ 'ନିଶଙ୍କ'ଙ୍କ ସମେତ ଏହି ବୈଠକରେ କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଉପସ୍ଥିତ ରହିବେ |
କରୋନା ମହାମାରୀ କାରଣରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ବେଳେ ଏବେ ଏହାକୁ କରାଯିବା ଉଚିତ କି ନାହିଁ ସେ ନେଇ ବୈଠକରେ ଆଲୋଚନା ହେବ |