ନେତା ହେବା ପାଇଁ ଚୋରି କରୁଥିଲେ, ଆଉ ଗରିବଙ୍କୁ ବାଣ୍ଟୁଥିଲେ ପୋଷାକ

ଗିରଫ ହେଲା ହାଇ ପ୍ରୋଫାଇଲ ଚୋର

ନୂଆଦିଲ୍ଲୀ: ନେତା ହେବା ପାଇଁ ପ୍ରଥମେ ଚୋରି କରିବା ଓ ସହାନୁଭୂତି ସାଉଁଟିବାକୁ ଗରିବ ଲୋକଙ୍କ ମଧ୍ୟରେ ସାମଗ୍ରୀ ବଣ୍ଟନ କରୁଥିବା ଜଣେ ଚୋରକୁ ଗିରଫ କରିଛି ପୁଲିସ | ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ମହମ୍ମଦ ଇରଫାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏ ନିଜ ଗ୍ୟାଙ୍ଗ ସହିତ ଦିଲ୍ଲୀ, ପଞ୍ଜାବ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଚୋରି କରୁଥିଲା, ଏବଂ ସେହି ଚୋରି ଟଙ୍କାରେ ମହଙ୍ଗା ପୋଷାକ ଏବଂ କାର୍ କିଣିଥିଲା। ଆସନ୍ତା ମାର୍ଚ୍ଚରେ ସେ ନିଜ ଅଂଚଳରୁ ଜିଲ୍ଲା ପରିଷଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିଲେ। ଆଉ ସ୍ଥାନୀୟ ଲୋକଙ୍କ ସହାନୁଭୂତି ଯୋଗାଡ଼ କରିବାକୁ ଇରଫାନ୍ ଚୋରି କରିଥିବା ଟଙ୍କାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିଲେ | କେବଳ ସ୍ୱାସ୍ଥ୍ୟ ଶିବିର କରୁନଥିଲେ ବରଂ ଗରିବଙ୍କୁ ଟଙ୍କା ମଧ୍ୟ ଦାନ କରୁଥିଲେ |

ମିଳିଥିବା ସୂଚନା ମୁତବକ ଗତକାଲି ଦିଲ୍ଲୀର ଏକ ଫ୍ଲାଏଓଭର ନିକଟରୁ କ୍ରାଇମବ୍ରାଞ୍ଚ ଏହି ଠକକୁ ଗିରଫ କରିଥିଲା | ତା’ଠାରୁ ଜାଗୁଆର ଏବଂ ନିସାନର ଦୁଇଟି ଦାମୀ କାର ଜବତ କରାଯାଇଥିଲା। ଅଭିଯୁକ୍ତକୁ ପଚରାଉଚରା ବେଳେ ସେ କହିଥିଲା ଯେ ବିଶେଷକରି ଯେଉଁ ଘରଗୁଡ଼ିକରେ କେହି ନଥାନ୍ତି ବା ପରିବାରର ସଦସ୍ୟ ବାହାରେ ରହୁଥାନ୍ତି ସେହି ସବୁ ଘରକୁ ଟାର୍ଗେଟ କରାଯାଉଥିଲା | ପୁଲିସର ସୂଚନାନୁସାରେ, ଇରଫାନ୍ ବିହାରର ଜଣେ ଲୋକପ୍ରିୟ ଯୁବ ନେତା ହେବାକୁ ଚାହୁଁଥିଲା ।

ସେ ନିଜ ଘର ବିହାରର ସୀତାମାରହିରୁ ଜିଲ୍ଲା ପରିଷଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିଲା, ତେଣୁ ଚୋରି ଟଙ୍କାକୁ ଲୋକଙ୍କ ପାଇଁ ବ୍ୟବହାର କରୁଥିଲା | ତେବେ, କେବଳ ଦିଲ୍ଲୀ ନୁହେଁ, ଉତ୍ତରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକରେ ଇରଫାନ ତା’ ଗ୍ୟାଙ୍ଗ ସହ ମିଶି ଚୋରି କରୁଥିଲା |

ସମ୍ବନ୍ଧିତ ଖବର