ଉତ୍ତରପୂର୍ବରେ ବନ୍ୟା ବିପର୍ଯ୍ୟୟ: ୨୨ ମୃତ, ୫ ହଜାର ପରିବାର ବେଘର

ନୂଆଦିଲ୍ଲୀ:ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମୌସୁମୀ ବର୍ଷା ଆରମ୍ଭ ହେବା ସହ ବନ୍ୟା ବିତ୍ପାତ ମଧ୍ୟ ଆରମ୍ଭ ହୋଇଯାଇଛି। ତ୍ରିପୁରା, ମଣିପୁର, ମିଜୋରାମ, ହିମାଚଳ ପ୍ରଦେଶ,ଆସାମ ଓ କେରଳରେ ଏହି ବନ୍ୟା ପରିସ୍ଥିତି ବିଶେଷ ଭାବେ ଜନଜୀବନକୁ ପ୍ରଭାବିତ କରିଛି। ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପ୍ରାୟ ୫ ହଜାର ଲୋକଙ୍କ ଲୋକଙ୍କର ଘରଦ୍ୱାର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବନ୍ୟାଜଳରେ ଭାସିଯାଇ, ଘର ଭୁଶୁଡ଼ି ଏବଂ ଗଛ ପଡ଼ି ବିଭିନ୍ନ ସ୍ଥାନରେ ଲୋକଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି । ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ମାଟି ଧସି ଯିବାରୁ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି । ଫଳସ୍ୱରୂପ ଉତ୍ତର-ପୂର୍ବ ରେଳପଥର ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଆସାମର କେତେକ ସ୍ଥାନରେ ଟନେଲ ଗୁଡ଼ିକ ମଧ୍ୟ ଭାସି ଯାଇଥିବା ଜଣାପଡ଼ିଛି। ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ମୂତାବକ, ଉତ୍ତର ପୂର୍ବାଞ୍ଚଳରେ ଆଗାମୀ ୪୮ ଘଣ୍ଟା ବର୍ଷା ଲାଗି ରହିବ ବୋଲି ସତର୍କ ସୂଚନା ଜାରି କରିବାପରେ ଏହିସବୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି।

ତ୍ରିପୁରାର ୪୦ ହଜାର ଲୋକଙ୍କ ସମେତ ଆସାମ,ମଣିପୁର ଓ କେରଳରେ ଅନ୍ୟୁନ ୧.୫ ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୨୪ ଛୁଇଁଥିବା ବେଳେ ତ୍ରିପୁରାର ବିଭିନ୍ନ ସ୍ଥାନରେ ବନ୍ୟାଜଳରେ ଭାସିଯାଇ ଅନ୍ୟୁନ ୭ ଜଣଙ୍କର ମୃତ୍ୟୁ ଘଟିଛି। କେରଳ ଓ ତ୍ରିପୁରାରେ ସ୍ଥିତି ଗମ୍ଭୀର ହେବାକୁ ଯାଉଥିବା ବେଳେ ଆଜି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସହାୟତା ମାଗିଛନ୍ତି। ଉତ୍ତରାଖଣ୍ଡ ଓ ଆସାମର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଯୋଗୁଁ ଭୂସ୍ଖଳନ ଦେଖିବାକୁ ମିଳିଛି। ଆଜି ଉତ୍ତରାଖଣ୍ଡରେ ୪.୧ ତୀବ୍ରତାର ଭୂମିକମ୍ପର ଝଟ୍‌କା ମଧ୍ୟ ଅନୁଭୂତ ହୋଇଛି। ତ୍ରିପୁରାର ବ୍ୟାପକ ଅଂଚଳ ଜଳମଗ୍ନ ଥିବାରୁ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାଜ୍ୟକୁ ଏନଡିଆରଏଫ ଟିମ ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଆସାମରେ ଏକ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମିରେ ବନ୍ୟାଜଳ ମାଡି ଯାଇଥିବା ଜଣାପଡ଼ିଛି। କେରଳ କୋଝିକୋଡରେ ପ୍ରବଳ ବର୍ଷା ପରେ ହୋଇଥିବା ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଭଗ୍ନସ୍ତୁପ ତଳେ ୮ ଜଣ ଫସି ରହିଛନ୍ତି।

ସମ୍ବନ୍ଧିତ ଖବର