ହନୁମାନ ଚାଳିଶା ବିବାଦ: ଉଦ୍ଧବ ଠାକ୍‌ରେଙ୍କ ଘର ନିକଟରେ କଡ଼ା ନିରାପତ୍ତା ବ୍ୟବସ୍ଥା

ମୁମ୍ବାଇ: ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ‘ହନୁମାନ ଚାଳିଶା’ ପାଠ କରିବେ ବୋଲି ମହାରାଷ୍ଟ୍ରର ଦୁଇଜଣ ନେତା ଧମକ ଦେବାରୁ ଆଜି ମୁମ୍ବାଇ ପୁଲିସ ଉଦ୍ଧବ ଠାକ୍‌ରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ‘ମାତୋଶ୍ରୀ’ ନିକଟରେ ନିରାପତ୍ତା ବ୍ୟବସ୍ଥା କଠୋର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦୁଆରେ ‘ହନୁମାନ ଚାଳିଶା’ ପାଠ କରିବେ ବୋଲି ଗତ ସପ୍ତାହରେ ବିଧାୟକ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ ରାଣା ଧମକ ଦେଇଥିଲେ।

ସାମ୍ବାଦିକମାନଙ୍କୁ ରାଣା କହିଥିଲେ, ଯେଉଁ ହିନ୍ଦୁତ୍ବ ଆଦର୍ଶବାଦ ଆଧାରରେ ଭୋଟ୍‌ ଭିକ୍ଷା କରି ତାଙ୍କ ଦଳ ପାଇଁ ଆସନ ହାସଲ କରିଥିଲେ ଉଦ୍ଧବ ସାହେବ ତାହାକୁ ଭୁଲି ଯାଇଛନ୍ତି। ସେ ବାଲା ସାହେବଙ୍କ ବାଣୀ ଭୁଲି ଯାଇଛନ୍ତି। ତେଣୁ, ବାଲା ସାହେବଙ୍କ ବାଣୀ ସ୍ମରଣ କରାଇ ଦେବା ଲାଗି ଶନିବାର ପୂର୍ବାହ୍ନ ୯ଟା ବେଳେ ଆମେ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ କରିବୁ। ଆମେ ଶନ୍ତିଶୃଙ୍ଖଳାରେ ସେଠାକୁ ଯିବୁ ଏବଂ ମୁମ୍ବାଇବାସୀଙ୍କର କୌଣସି ଅସୁବିଧା କରିବୁ ନାହିଁ।

Image Courtesy of The Week

ତେଣୁ, ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ପୁଲିସ କର୍ମଚାରୀମାନେ ପହରା ଦେଇଥିବା ବେଳେ ଶିବସେନା କର୍ମୀମାନେ ‘ବିଧାୟକ-ସାଂସଦ’ ଦମ୍ପତିଙ୍କ ଦୁଆରେ ପ୍ରତିବାଦ ଆରମ୍ଭ କରିଛନ୍ତି। ପୁଲିସ ସେମାନଙ୍କୁ ବାହାରକୁ ଛାଡୁ ନ ଥିବା କଥା ଦୁହେଁ ଅଭିଯୋଗ କରୁଥିବା ଭିଡିଓ ମଧ୍ୟ ରବି ରାଣାଙ୍କ ଫେସ୍‌ବୁକରେ ସେୟାର ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ମୁମ୍ବାଇର ପୂର୍ବତନ ମେୟର୍‌ ତଥା ଶିବସେନା ନେତା କିଶୋରୀ ପେଦନେକର କହିଛନ୍ତି, ଆମେ ଅପେକ୍ଷା କରିଛୁ। ଆମ ଆଗରେ ଆମେ ‘ହନୁମାନ ଚାଳିଶା’ ରଖିବୁ। ସେମାନଙ୍କୁ ପାନେ ଦେବା ପାଇଁ ଆମେ ଅପେକ୍ଷା କରିଛୁ।

ସମ୍ବନ୍ଧିତ ଖବର