କରୋନାରୁ ରକ୍ଷା କରିବ ହାଇଟେକ୍‌ ଇଲେକ୍ଟ୍ରୋନିକ୍‌ ମାସ୍କ

କୋଲକାତା : କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ତେଣୁ ବିଭିନ୍ନ ପ୍ରକାର ମାସ୍କ ତିଆରି ଚାଲିଛି। କିଛି ଫେସନେବଲ୍‌ ତ ଆଉ କିଛି ହାଇଟେକ୍‌। କରୋନା ଯୁଦ୍ଧରେ ଯାଦବପୁର ବିଶ୍ବବିଦ୍ୟାଳୟ ବି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପଛେଇ ନାହିଁ। ବିଶ୍ବବିଦ୍ୟାଳୟର ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ଡିପାର୍ଟମେଣ୍ଟର କିଛି ଛାତ୍ର ହାଇଟେକ୍‌ ଇଲେକ୍ଟ୍ରୋନିକ୍‌ ମାସ୍କ ତିଆରି କରୁଛନ୍ତି। ଏହାର ଡିଜାଇନ୍‌ ଅନ୍ତିମ ଚରଣରେ ପହଞ୍ଚିଥିବାବେଳେ ଆଇସିଏମ୍‌ଆର୍‌ ଅନୁମୋଦନ ପାଇଁ ଅପେକ୍ଷା ରହିଛି। ଅନୁମତି ମିଳିବା ପରେ ଏହା ବଜାରରେ ଉପଲବ୍ଧ ହେବ।

ମାସ୍କ ବ୍ୟବହାର କଲେ କରୋନା ଭାଇରସ୍‌କୁ ରୋକାଯାଇ ପାରିବ ଏନେଇ ଏବେବି ସନ୍ଦେହ ତୁଟିନି। ଆରମ୍ଭରୁ ଏନ୍‌ ୯୫ ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ହେଲେ ପରେ କୁହାଗଲା ଏହି ସ୍ବତନ୍ତ୍ର ମାସ୍କ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ। ତେଣୁ ତିନି ପରସ୍ତବାଲା ସର୍ଜିକାଲ ମାସ୍କ ବ୍ୟବହାର କରିବାକୁ ବିଶେଷଜ୍ଞମାନେ ମତ ଦେଲେ। ଆଉ କେତେକ କଟନ୍‌ ମାସ୍କ ସପକ୍ଷରେ ମଧ୍ୟ କହିଲେ। ଏସବୁ ମଧ୍ୟରେ ଯାଦବପୁର ବିଶ୍ବବିଦ୍ୟାଳୟ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ବିଭାଗର ଛାତ୍ରମାନେ ଯେଉଁ ମାସ୍କ ତିଆରି କରିଛନ୍ତି ତାହା ଉଚ୍ଚ ଜ୍ଞାନକୌଶଳରେ ତିଆରି ଇଲେକ୍ଟ୍ରୋନିକ୍‌ ମାସ୍କ। ଏହି ମାସ୍କରେ ଇଲେକ୍ଟ୍ରୋ‌ମାଗ୍‌ନେଟିକ୍‌ ପ୍ରଭାବ ରହିଛି, ଯାହା ଭାଇରସ୍‌କୁ ମାରିବାରେ ସକ୍ଷମ ହେବ। ତେଣୁ ବିଭାଗୀୟ ମୁଖ୍ୟଙ୍କ ଦାବି, ଏହି ମାସ୍କ ବ୍ୟବହାର କଲେ କରୋନା ଲଢ଼େଇରେ ସଫଳତା ହାସଲ କରାଯାଇ ପାରିବ।

ସମ୍ବନ୍ଧିତ ଖବର