ଚିରଂଜୀବୀ କର
କଟକ: ଓଡ଼ିଶାର ସମୁଦ୍ର ଉପକୂଳରେ ଥିବା ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ଉପରେ ଅନୁପ୍ରବେଶକାରୀଙ୍କ ଡ୍ରୋନ୍‌ର ନଜର ରହିଛି। ଡ୍ରୋନ୍ ମାଧ୍ୟମରେ ଏହି ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡ଼ିକର ଫଟୋ ଗୋପନୀୟ ଢଙ୍ଗରେ ଉତ୍ତୋଳନ କରାଯାଉଥିବା ଆଶଙ୍କା କରାଯାଉଛି। ଏ ପ୍ରକାର ସତର୍କ ସୂଚନା କେନ୍ଦ୍ର ଗୃହ ମନ୍ତ୍ରାଳୟର ଗୁଇନ୍ଦା ବିଭାଗ ପକ୍ଷରୁ ଓଡ଼ିଶା ପୁଲିସକୁ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା, ବାରମ୍ବାର ଏଭଳି ସୂଚନା ମିଳିବା ପରେ ବି ‘ଆଣ୍ଟି ଡ୍ରୋନ୍’ ଭଳି ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବସ୍ଥା ଓଡ଼ିଶା ପୁଲିସ ପକ୍ଷରୁ ଗ୍ରହଣ କରାନଯିବା କାରଣରୁ ଏବେ ପ୍ରତିଷ୍ଠାନର ସୁରକ୍ଷା ପ୍ରତି ବିପଦ ଅଧିକ ବଢ଼ିଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟର ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରତ୍ୟେକ ମାସରେ ଓଡ଼ିଶା ପୁଲିସ ଡିଜି, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ତଟରକ୍ଷୀ ଓ ନୌସେନାକୁ ନେଇ ଓଡ଼ିଶାର ୪୮୭ କିଲୋମିଟର ଦୀର୍ଘ ଉପକୂଳର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତ ବୈଠକ ବସୁଛି। ଏହି ବୈଠକରେ ରାଜ୍ୟରେ ଥିବା ବାଲେଶ୍ବରର ଚାନ୍ଦିପୁର ଆଇଟିଆର୍, ଭଦ୍ରକର ଅବଦୁଲ କଲାମ ଦ୍ବୀପ, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ପାରାଦ୍ବୀପ ବନ୍ଦର, ଗଞ୍ଜାମରେ ଥିବା ଇଣ୍ଡିଆନ୍ ରେଆର୍ ଆର୍ଥ ଲିମିଟେଡ୍, ଇଫ୍‌କୋ, ଆଇଓସିଏଲ୍, ପୁରୀ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର, ସୁନାବେଡ଼ା ମିଗ୍ ବିମାନ ଫ୍ୟାକ୍ଟ୍ରି ଇତ୍ୟାଦି ସମ୍ବେଦନଶୀଳ ଅଞ୍ଚଳ ପ୍ରତି ବିପଦ ରହିଥିବା ଆଶଙ୍କା କରାଯାଉଛି। ଡ୍ରୋନ୍ ମାଧ୍ୟମରେ ବିଦେଶୀ ଗୋଷ୍ଠୀ ଏହି ସମ୍ବେଦନଶୀଳ ଅଞ୍ଚଳର ଫଟୋଚିତ୍ର ଆକାଶମାର୍ଗରୁ ଉତ୍ତୋଳନକୁ ରୋକାଯିବା ନେଇ ଓଡ଼ିଶା ପୁଲିସକୁ ସତର୍କ କରାଯାଉଛି। ବାରମ୍ବାର ଏ ପ୍ରକାର ସତର୍କତା କେନ୍ଦ୍ର ଗୁଇନ୍ଦା ବିଭାଗ ପକ୍ଷରୁ ଓଡ଼ିଶା ପୁଲିସକୁ କରାଯାଉଥିବା ବେଳେ ଓଡ଼ିଶା ପୁଲିସର ୧୮ଟି ସାମୁଦ୍ରିକ ଥାନାରେ ‘ଆଣ୍ଟି ଡ୍ରୋନ୍’ ଭଳି ଯାନ୍ତ୍ରିକ ଜ୍ଞାନ କୌଶଳର ବ୍ୟବସ୍ଥା ନାହିଁ। 

Advertisment

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଚୀନ୍‌ ପୂର୍ବରୁ ଓଡ଼ିଶାକୁ ଗୁଇନ୍ଦାଗିରି କରିବାକୁ ବେଲୁନ୍ ପଠାଉଥିଲା। ୧୯୬୯ରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟରେ ଏକ ତାଇଵାନ୍‌ ବେଲୁନ୍‌ ଜବତ ହୋଇଥିଲା। ଏହି ବେଲୁନ୍‌ରେ ଏକ ଛୋଟ ମେସିନ୍ ଲାଗିଥିଲା। ତତ୍କାଳୀନ ପୁଲିସ ଆଇଜି(ପୁଲିସ ମୁଖ୍ୟଙ୍କୁ ଡିଜି ବଦଳରେ ଆଇଜି କୁହାଯାଉଥିଲା) ଆର.କେ. ପାଢ଼ୀ ଏହି ଘଟଣାର ତଦନ୍ତ କରିଥିଲେ। ଏହା ତାଇଵାନ୍‌ରୁ ଆସିଥିବା ଜଣାପଡ଼ିଥିଲା। କେବଳ ସେତିକି ନୁହେଁ, ଏଥିରେ ଲାଗିଥିବା କ୍ୟାମେରା ମାଧ୍ୟମରେ ତାଇଵାନ୍‌ ଓଡ଼ିଶାରୁ ଫଟୋ ସଂଗ୍ରହ କରିଥିବା ଜଣାପଡ଼ିଥିଲା। ୨୦୧୨ରେ କୋଣାର୍କ ଥାନା ପୁଲିସ ଏକ ‘ହୁମର’ ପ୍ରଜାତିର ପାରା ଉଦ୍ଧାର କରିଥିଲା। ଏହି ପାରାର ଗୋଡ଼ରେ ଲାଗିଥିବା ଏକ ପ୍ଲାଷ୍ଟିକ କ୍ୟାପସୁଲରେ ଉର୍ଦ୍ଦୁ ଭାଷାରେ କିଛି ଲେଖା ଯାଇଥିବା ଦେଖିବାକୁ ମିଳିଥିଲା। ୨୦୨୨ ଜାନୁଆରି ୩ ରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହଲ ଅଞ୍ଚଳରେ ଏକ ପାରା ମିଳିଥିଲା। ଏହି ପାରାର ଡେଣାରେ ବି ଚାଇନିଜ ଅକ୍ଷର ଲେଖାଯାଇଥିଲା। ସେହି ବର୍ଷ ଜାନୁଆରି ୪ରେ ପୁରୀ ଜିଲ୍ଲା ମାଳତିପାଟପୁରରୁ ମିଳିଥିଲା ଆଉ ଏକ ଚାଇନିଜ୍ ପାରା। ସେହିଦିନ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଦଶିପୁର ଗାଁରୁ ମିଳିଥିବା ପାରା ଗୋଡରେ ଟ୍ୟାଗ୍ ଲାଗିଥିଲା। ୨୦୨୨ ଜାନୁଆରି ୫ରେ କେନ୍ଦ୍ରାପଡ଼ା ମହାକାଳପଡ଼ା ବତିଘର ନିକଟରୁ ମଧ୍ୟ ଏକ ପାରା ମିଳିଥିଲା। ଏହି ପାରା ଗୋଡରେ ବି ଟ୍ୟାଗ୍ ଲାଗିଥିଲା। ୨୦୨୩ ମାର୍ଚ୍ଚ ୬ ରେ କୋଣାର୍କ ସମୁଦ୍ର ଉପକୂଳ ୪୦ ନଟିକଲ୍ ମାଇଲ୍ ଦୂର ସମୁଦ୍ରରେ ମାଛଧରା ବୋଟ୍‌ ‘ସାରଥି’ରୁ ଗୁପ୍ତଚର ପାରା ଠାବ ହୋଇଥିଲା। ଏହି ପାରା ଗୋଡ଼ରେ ସୋଲାର୍ ପ୍ୟାନେଲ୍ ଓ ଟ୍ରାନ୍ସମିଟର୍ ଲାଗିଥିଲା। 

ଯଦିଓ ଗୁଇନ୍ଦା ବିଭାଗ ବାରମ୍ବାର ସତର୍କ କରୁଛି କିନ୍ତୁ ସାମୁଦ୍ରିକ ଉପକୂଳରେ ଓଡ଼ିଶା ପୁଲିସର ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ନାହିଁ। ଏହା ଥିଲେ ଆକାଶ ମାର୍ଗରେ ଉଡ଼ୁଥିବା ବିଦେଶୀ ଗୋଷ୍ଠୀଙ୍କ ଡ୍ରୋନ୍‌କୁ ନିଷ୍କ୍ରିୟ କରାଯାଇପାରିବ। କିନ୍ତୁ ଏହା ନଥିବାରୁ ଉପକୂଳରେ ଥିବା ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଏବେ ସୁରକ୍ଷା ଦେବା ଓଡ଼ିଶା ପୁଲିସ ପାଇଁ ସବୁଠାରୁ ବଡ଼ ଆହ୍ବାନ ହୋଇଛି। ଅବସରପ୍ରାପ୍ତ ପୁଲିସ ଡିଜି ବିପିନ ବିହାରୀ ମିଶ୍ରଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ଥିବା ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ମିୟାମାର୍ ଓ ଚୀନ୍‌ର ନଜର ରହିଛି। ପୂର୍ବରୁ ସେମାନେ ବେଲୁନରେ ବିଭିନ୍ନ ଯନ୍ତ୍ର ଲଗାଇ ଓଡ଼ିଶାକୁ ଛାଡ଼ୁଥିଲେ। ଏବେ ଡ୍ରୋନ୍‌ର ବ୍ୟବହାର ଆରମ୍ଭ ହୋଇଗଲାଣି। ଓଡ଼ିଶା ପୁଲିସ ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବା ନିହାତି ଆବଶ୍ୟକ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।