‘ଦୁଷ୍କର୍ମ ପରେ ମୁଁ ଶୋଇପଡ଼ିଥିଲି‘! ପୀଡ଼ିତାଙ୍କ ଏଭଳି ଉତ୍ତର ଶୁଣି ତାତିଗଲେ ବିଚାରପତି

ବାଙ୍ଗାଲୁରୁ: ଜନୈକା ଯୁବତୀଙ୍କ ଦ୍ବାରା ଆଗତ ଏକ ଦୁଷ୍କର୍ମ ମାମଲାରେ ସନ୍ଦେହ ପ୍ରକାଶ କରି ସଂପୃକ୍ତ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଆଜି ଜାମିନ ଦେଇଛନ୍ତି ବିଚାରପତି | କର୍ଣ୍ଣାଟକ ହାଇକୋର୍ଟରେ ଆଜି ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି | ବିଶେଷ କରି ବିଚାରପତିଙ୍କ ରାୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | କେତେକ ଏହାକୁ ସମର୍ଥନ କରିଥିବା ବେଳେ ଆଉ କିଛି ଏହାର ବିରୋଧ କରିଛନ୍ତି |

ରିପୋର୍ଟ ଅନୁସାରେ ଜଣେ ଯୁବତୀ ନିଜ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ | ଏହି ମାମଲା ଚାଲିବା ପରେ ଅଭିଯୁକ୍ତ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ ଅପରାଧର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୋଗକାରୀଙ୍କୁ ଦୁଷ୍କର୍ମ କରାଯାଇଥିବା ବିଶ୍ୱାସ କରିବା ବର୍ତ୍ତମାନ କଷ୍ଟକର ହୋଇପଡିଛି। ଦ’ ପ୍ରିଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,  ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରା ଯାଇଥିବା ଅଭିଯୋଗ କରିଥିଲେ ପୀଡ଼ିତା।

ଜାମିନ ମାମଲାର ଶୁଣାଣି ସମୟରେ ବିଚାରପତି ମନ୍ତବ୍ୟ ରଖିଥିଲେ, ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ପୀଡ଼ିତାଙ୍କ ଅଭିଯୋଗ ଉପରେ ବିଶ୍ୱାସ କରିବା କଷ୍ଟସାଧ୍ୟ | ଯେତେବେଳେ ଅଭିଯୁକ୍ତ ଯୌନ ଶୋଷଣ ପାଇଁ ଚାପ ପକାଉଥିଲା ସେତେବେଳେ ଅଭିଯୋଗକାରିଣୀ କାହିଁକି କୋର୍ଟଙ୍କ ନିକଟକୁ ଆସି ନ ଥିଲେ? ଏଥିସହ ଜଷ୍ଟିସ କୃଷ୍ଣ ଏସ୍ ଦୀକ୍ଷିତ ଏହା ମଧ୍ୟ କହିଥିଲେ ଯେ ”ରାତି ୧୧ ଟାରେ ସେ କାହିଁକି ଅଭିଯୁକ୍ତଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ସେ ବିଷୟରେ ଅଭିଯୋଗକାରିଣୀ କିଛି ଉଲ୍ଲେଖ କରିନାହାନ୍ତି? ସେ ଅଭିଯୁକ୍ତଙ୍କ ସହ ମଦ୍ୟପାନ କରିବାକୁ କାହିଁକି ମନା କରି ନ ଥିଲେ ? ଯୁବତୀ କହୁଛନ୍ତି ଯେ ବଳାତ୍କାର ପରେ ସେ ଥକି ଯାଇଥିଲେ, ତେଣୁ ସେ ଶୋଇପଡିଥିଲେ! ହେଲେ, ଏହା କୌଣସି ଭାରତୀୟ ମହିଳାଙ୍କ ଚରିତ୍ର ନୁହେଁ। ଯେତେବେଳେ ଏପରି କାର୍ଯ୍ୟ ଘଟିଥାଏ ସେତେବେଳେ ଆମର ମହିଳାମାନେ ଏହିପରି ପ୍ରତିକ୍ରିୟା କରନ୍ତି ନାହିଁ। ”


ଅଭିଯୁକ୍ତଙ୍କ ନାମ ରାକେଶ। ତାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି। ପ୍ରତି ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ପୁଲିସ ଷ୍ଟେସନକୁ ଆସି ରିପୋର୍ଟ କରିବେ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର