ଢାକା: ବିଧବା ହିନ୍ଦୁ ମହିଳାମାନଙ୍କ ପାଇଁ ବାଂଲାଦେଶ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ବିଧବା ହିନ୍ଦୁ ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ସମ୍ପତ୍ତିରେ ଭାଗ ନେବାକୁ ସମ୍ପୂର୍ଣ୍ଣ ହକଦାର। ଏହାପୂର୍ବରୁ ଆଇନ ଅନୁଯାୟୀ ହିନ୍ଦୁ ମହିଳାମାନେ କେବଳ ନିଜ ସ୍ୱାମୀଙ୍କ ବାସଗୃହ ସମ୍ପତ୍ତି ପାଇବାକୁ ହକଦାର ବୋଲି ଉଲ୍ଲେଖ ଥିଲା ।
ଜଷ୍ଟିସ୍ ମିଫତାହଉଦ୍ଦିନ ଚୌଧୁରୀଙ୍କ ଖଣ୍ଡପୀଠ ବୁଧବାର ଦିନ ଏହି ରାୟ ଶୁଣାଇଥିବାବେଳେ ୨୦୦୪ ମସିହାରେ ନିମ୍ନ କୋର୍ଟର ରାୟକୁ ଉଲ୍ଲେଖ କରିଥିଲେ । ଲୋୟର କୋର୍ଟ ରାୟରେ କହିଥିଲେ ଯେ ବିଧବା ହିନ୍ଦୁ ମହିଳାମାନେ ନିଜ ସ୍ୱାମୀଙ୍କ ସମସ୍ତ ସମ୍ପତ୍ତିର ଅଂଶୀଦାର ହେବେ |
ଅନ୍ୟପକ୍ଷରେ ବାଂଲାଦେଶ ହିନ୍ଦୁ-ବୌଦ୍ଧ-ଖ୍ରୀଷ୍ଟିଆନ ପରିଷଦର ସାଧାରଣ ସମ୍ପାଦକ ରାଣା ଦାସ ଗୁପ୍ତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ରାଣା ଦାସ ଗୁପ୍ତା କହିଛନ୍ତି ଯେ ଏହା ଏକ ଐତିହାସିକ ନିଷ୍ପତ୍ତି ଏବଂ ଏହା ଅସହାୟ ହିନ୍ଦୁ ବିଧବା ମହିଳାଙ୍କ ସ୍ୱାର୍ଥ ରକ୍ଷା କରିବ। ସୂଚନା ଥାଉ ଯେ ବାଂଲାଦେଶରେ ହିନ୍ଦୁ ମହିଳା ଅଧିକାର ଅଧିକାର ଅଧିନିୟମ ୧୯୩୭ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୁ ମହିଳାମାନେ ନିଜ ସ୍ୱାମୀଙ୍କ ସମ୍ପତ୍ତିରେ ସମ୍ପୂର୍ଣ୍ଣ ଭାଗ ପାଇପାରୁନଥିଲେ |