ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବାସଭବନ ବାହାରେ ଆଜି ହାଇଡ୍ରାମା ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ୱାଇଏସ୍ ଶର୍ମିଲାଙ୍କୁ ପୁଲିସ ଆଜି ତାଙ୍କ ଗାଡ଼ି ସହ କ୍ରେନ୍ ଲଗାଇ ଉଠାଇ ନେଇଛି। ଏସଆର ନଗର ଥାନାରେ ଶର୍ମିଲାଙ୍କୁ ଅଟକ ରଖାଯାଇଛି। ଶର୍ମିଲା ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଡାକରା ଦେଇଥିଲେ।
କେସିଆରଙ୍କ ବାସଭବନ ଅଭିମୁଖେ ଯାଉଥିବାବେଳେ ପୁଲିସ ତାଙ୍କୁ ବାଟରେ ଅଟକାଇଥିଲା। କିନ୍ତୁ ଶର୍ମିଲା ଗାଡ଼ିରୁ ନ ଓହ୍ଲାଇବାରୁ ପୁଲିସ ତାଙ୍କ ଗାଡ଼ିକୁ କ୍ରେନ୍ ଲଗାଇ ଉଠାଇ ନେଇଥିଲା। ଏହି ସମୟରେ ଶର୍ମିଲା ଗାଡ଼ିରେ ବସିଥିଲେ। ଉଲ୍ଲେଖଯୋଗ୍ୟ, ସୋମବାର ଦିନ ୱାରଙ୍ଗଲ ଜିଲ୍ଲାରେ ଶର୍ମିଲାଙ୍କ ପଦଯାତ୍ରାରେ ଟିଆରଏସ ସମର୍ଥକମାନେ ଆକ୍ରମଣ କରିଥିବାରୁ ଏହାକୁ ବିରୋଧ କରି ଶର୍ମିଲା ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଡାକରା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସୋମବାର ମଧ୍ୟ ପୁଲିସ ଶର୍ମିଲାଙ୍କୁ ହାଜତକୁ ନେଇଥିଲା ଏବଂ କିଛି ସମୟ ଅଟକ ରଖି ଛାଡ଼ି ଦେଇଥିଲା।