ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବିପଦ ଅଧିକ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ : ଗର୍ଭବତୀ ମହିଳାମାନେ ଅଧିକ ମାତ୍ରାରେ କରୋନା ଭାଇରସ୍‌ ସଂକ୍ରମଣର ଶିକାର ଆଶଙ୍କା ରହିଛି। ସେମାନେ ମଧ୍ୟମରୁ ଗମ୍ଭୀର ମାତ୍ରାରେ ଶିକାର ହୋଇପାରନ୍ତି। କରୋନା ଲକ୍ଷଣ ଦେଖା ଦେଉଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ଆବଶ୍ୟକ ବୋଲି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି। +

ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଗର୍ଭାବସ୍ଥାରେ ସବୁଠାରୁ ଜଟିଳ ସମସ୍ୟା ହେଉଛି ସମୟ ପୂର୍ବରୁ ପ୍ରସବ ଏବଂ ଉଚ୍ଚ ରକ୍ତଚାପ ଭଳି ବିକାର। ଅଧ୍ୟୟନରୁ ଜଣାପଡ଼ିଛି, ରକ୍ତହୀନତା, ଯକ୍ଷ୍ମା ଏବଂ ମଧୁମେହ ଭଳି ରୋଗରେ ପୀଡ଼ିତ ଗର୍ଭବତୀ ମହିଳା ପିଲା ଜନ୍ମ ଦେବା ପରେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥାନ୍ତି। ମହାରାଷ୍ଟ୍ରରେ ମହାମାରୀ କରୋନାର ପ୍ରଥମ ଲହରରେ କୋଭିଡ୍‌-୧୯ରେ ପୀଡ଼ିତ ମହିଳାଙ୍କୁ ନୈଦାନିକ ବିଶେଷତା ଏବଂ ଗର୍ଭାବସ୍ଥାର ପରିଣାମ ଉପରେ ବିଶ୍ଳେଷଣ କରାଯାଇଥିଲା। ଏହି ବିଶ୍ଳେଷଣ ପ୍ରେଗକୋଭିଡ ରେଜିଷ୍ଟ୍ରୀ ସଂଖ୍ୟା ଉପରେ ଆଧାରିତ ଥିଲା।

କୋଭିଡ-୧୯ରୁ ଆରୋଗ୍ୟ ହୋଇଥିବା ଗର୍ଭବତୀ ମହିଳା ଏବଂ ପ୍ରସବ ପରେ କିଛି ମହିଳାଙ୍କ ଉପରେ ଅଧ୍ୟୟନ କରାଯାଇଥିଲା। ମହାରାଷ୍ଟ୍ରର ୧୯ଟି ମେଡିକାଲ କଲେଜର ରେକର୍ଡ ଏକାଠି କରାଯାଇ ୪,୨୦୩ ଗର୍ଭବତୀଙ୍କୁ ନେଇ କରାଯାଇଥିବା ଏହି ବିଶ୍ଳେଷଣରୁ ଜଣାପଡ଼ିଛି, ୩,୨୧୩ ଶିଶୁ ଜନ୍ମ ହୋଇଥିବାବେଳେ ୭୭ ଜଣଙ୍କ ଗର୍ଭପାତ ହୋଇଥିଲା। ଅସମୟରେ ଗର୍ଭଧାରଣ କରିଥିବା ମହିଳାଙ୍କ ସଂଖ୍ୟା ୮୩୪। ଅଧ୍ୟୟନର ନିଷ୍କର୍ଷରେ କୁହାଯାଇଛି, ସବୁଠାରୁ ଜଟିଳ ସମୟ ହେଉଛି ପ୍ରସବ ପୂର୍ବ ଏବଂ ପ୍ରସବୋତ୍ତର। ଏହି ସମୟରେ ମହିଳାମାନଙ୍କୁ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର