୧୭ତମ ଲୋକସଭାର ପ୍ରଥମ ଅଧିବେଶନ

୧୫ ବର୍ଷ ମଧ୍ୟରେ ସବୁଠୁ ଅଧିକ ବିଲ୍‌ ଗୃହୀତ

ନୂଆଦିଲ୍ଲୀ: ୧୭ ତମ ଲୋକସଭାର ପ୍ରଥମ ଅଧିବେଶନରେ ସବୁଠୁ ଅଧିକ ସଂଖ୍ୟାରେ ବିଲ୍‌ ଗୃହୀତ ହୋଇଛି। ଗତ ୧୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ସବୁଠୁ ଅଧିକ ବୋଲି କୁହାଯାଉଛି। ପ୍ରଥମ ଅଧିବେଶନରେ ଏଯାବତ୍‌ ୧୨ଟି ବିଲ୍‌ ଗୃହୀତ ହୋଇସାରିଛି ଏବଂ ଆହୁରି ୧୦ଟି ବିଲ୍‌ ଗୃହୀତ ହେବାନେଇ ବିଚାରବିମର୍ଶ ଜାରି ରହିଛି। ତେବେ ପୂର୍ବ ଲୋକସଭା କାର୍ଯ୍ୟକାଳରେ ଗୃହୀତ ହୋଇଥିବା ବିଲ୍‌ଗୁଡ଼ିକୁ ତୁଳନା କଲେ ଜଣାପଡ଼ୁଛି ଯେ ଚଳିତ ଲୋକସଭାର ପ୍ରଥମ ଅଧିବେଶନରେ ସବୁଠୁ ଅଧିକ ବିଲ୍‌ ଗୃହୀତ ହୋଇଛି। ୨୦୦୪ରେ ପ୍ରଥମ ବଜେଟ୍‌ ଅଧିବେଶନରେ କେବଳ ୬ଟି ବିଲ୍‌ ଗୃହୀତ ହୋଇଥିଲା। ଏହାପରେ ୨୦୦୯ରେ ୧୫ତମ ଲୋକସଭାର ବଜେଟ୍‌ ଅଧିବେଶନରେ ୮ଟି ବିଲ୍‌ ଗୃହୀତ ହୋଇଥିଲା। ୨୦୧୪ରେ ୧୬ ତମ ଲୋକସଭାରେ ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇଥିଲା। କିନ୍ତୁ ଚଳିତ ଅଧିବେଶନରେ ଗୃହୀତ ହୋଇଥିବା ବିଲ୍‌କୁ ନେଇ ବିରୋଧୀ ଦଳ ଗୁଡ଼ିକ ଜୋର୍‌ଦାର ପ୍ରତିବାଦ କରିଛନ୍ତି। ସଠିକ୍‌ ଢଙ୍ଗରେ ବିଲ୍‌ ଗୃହୀତ ହୋଇନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି । ୨୦୧୯ ଫେବ୍ରୁଆରି ଏବଂ ମାର୍ଚ୍ଚରେ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧ୍ୟାଦେଶ ଆଣିଥିବାରୁ ଏବେ ଏହାକୁ ଆଇନରେ ପରିଣତ କରିବାପାଇଁ ଚାପରେ ଅଛନ୍ତି। ତେବେ ଲୋକସଭାରେ ବିରୋଧୀଙ୍କ ସଂଖ୍ୟା କମ୍‌ ଥିବାରୁ ଏବଂ କିଛି ସହଯୋଗୀ ଦଳର ସହଯୋଗ କ୍ରମେ ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଗୃହୀତ କରିପାରିଛନ୍ତି। ଲୋକସଭାରେ ଲମ୍ବା ଆଲୋଚନା ପରେ ଗତକାଲି ତିନି ତଲାକ୍‌ ବିଲ୍‌ ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର