ନୂଆଦିଲ୍ଲୀ: ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍ଓ) ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଗ୍ଲେସିୟର ନଷ୍ଟ ହୋଇଛି। ଡବ୍ଲୁଏମ୍ଓ ଏବଂ ୱାର୍ଲ୍ଡ ଗ୍ଲେସିୟର ମନିଟରିଂ ସର୍ଭିସ (ଡବ୍ଲୁଜିଏମ୍ଏସ୍) ଶୁକ୍ରବାର ରିପୋର୍ଟ କରିଛନ୍ତି ଯେ ଅନେକ ଅଞ୍ଚଳର ତଥାକଥିତ ‘ଶାଶ୍ବତ ବରଫ’ (ଇଟର୍ନାଲ ଆଇସ୍) ଏକବିଂଶ ଶତାବ୍ଦୀରେ ବଞ୍ଚିପାରିବ ନାହିଁ। ପ୍ରଥମ ଥର ପାଇଁ ବିଶ୍ୱ ଗ୍ଲେସିୟର ଦିବସ ଅବସରରେ ଏହି ଘୋଷଣା କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ସବୁଠାରୁ ଦ୍ରୁତ ଗତିରେ ଗ୍ଲେସିୟର ତରଳୁଛି ବୋଲି ଡବ୍ଲୁଏମ୍ଓ କହିଛି। ସମଗ୍ର ବିଶ୍ୱରେ ୨,୭୫,୦୦୦ରୁ ଅଧିକ ଗ୍ଲେସିୟର ଅଛି ଯାହା ପ୍ରାୟ ୭,୦୦,୦୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ। ବରଫ ଚାଦର ସହିତ ମିଶି ଗ୍ଲେସିୟର ବିଶ୍ୱର ପ୍ରାୟ ୭୦% ମଧୁର ଜଳ ସମ୍ପଦ ସଂରକ୍ଷଣ କରିଥାଏ। ଉଚ୍ଚ ପାହାଡ଼ିଆ ଅଞ୍ଚଳ ହେଉଛି ବିଶ୍ୱର ଜଳ ଟାୱାର ବୋଲି ଡବ୍ଲୁଏମ୍ଓ କହିଛି। ଗ୍ଲେସିୟର୍ କ୍ଷୟ ଯୋଗୁଁ ଗ୍ରୀଷ୍ମ ସମୟରେ ତଳ ମୁଣ୍ଡରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜଳ ଯୋଗାଣ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ସଂଗଠନ ଚେତାବନୀ ଦେଇଛି। ସ୍ୱଳ୍ପ କାଳରେ ଗ୍ଲେସିୟର ତରଳିବା ଦ୍ୱାରା ବନ୍ୟା ଭଳି ପ୍ରାକୃତିକ ବିପଦ ବଢିଥାଏ।
ଗତବର୍ଷ ଜାତିସଂଘ ସାଧାରଣ ସଭା ୨୦୨୫କୁ ଅନ୍ତର୍ଜାତୀୟ ଗ୍ଲେସିୟର ସଂରକ୍ଷଣ ବର୍ଷ ଭାବେ ଘୋଷଣା କରିଥିଲା ଏବଂ ମାର୍ଚ୍ଚ ୨୧କୁ ଗ୍ଲେସିୟର ପାଇଁ ବାର୍ଷିକ ବିଶ୍ୱ ଦିବସ ଭାବେ ପ୍ରତିଷ୍ଠା କରିଥିଲା। ଡବ୍ଲ୍ୟୁଏମ୍ଓର ଷ୍ଟେଟ୍ ଅଫ୍ ଦି ଗ୍ଲୋବାଲ କ୍ଲାଇମେଟ୍ ୨୦୨୪ ରିପୋର୍ଟରେ କୁହାଯାଇଛି ଯେ ୨୦୨୨-୨୦୨୪ ତିନି ବର୍ଷରେ ସବୁଠାରୁ ଅଧିକ ଗ୍ଲେସିୟର୍ ନଷ୍ଟ ହୋଇଛି। ବିଶ୍ୱବ୍ୟାପୀ ପର୍ଯ୍ୟବେକ୍ଷଣ ଆଧାରରେ ଡବ୍ଲୁଜିଏମ୍ଏସ୍ ଆକଳନ କରିଛି ଯେ ୧୯୭୫ରେ ରେକର୍ଡ ଆରମ୍ଭ ହେବା ପରଠାରୁ ଗ୍ଲେସିୟରଗୁଡ଼ିକ ୯,୦୦୦ ବିଲିୟନ ଟନରୁ ଅଧିକ ବରଫ ହରାଇଛନ୍ତି। ସ୍କାଣ୍ଡିନେଭିଆ, ସ୍ୱାଲବାର୍ଡ ଏବଂ ଉତ୍ତର ଏସିଆର ଗ୍ଲେସିୟରଗୁଡ଼ିକ ରେକର୍ଡରେ ସର୍ବବୃହତ୍ ବାର୍ଷିକ ବୃହତ୍ କ୍ଷତି ସହିଛନ୍ତି।
ଡବ୍ଲ୍ୟୁଜିଏମ୍ଏସ୍ ଅନୁଯାୟୀ, ବର୍ତ୍ତମାନର ତରଳ ହାରରେ ପଶ୍ଚିମ କାନାଡା, ଆମେରିକା, ସ୍କାଣ୍ଡିନେଭିଆ, କେନ୍ଦ୍ରୀୟ ୟୁରୋପ, କକେସସ୍, ନ୍ୟୁଜିଲ୍ୟାଣ୍ଡ ଓ ଟ୍ରପିକ୍ସର ଅନେକ ଗ୍ଲେସିୟର ଏକବିଂଶ ଶତାବ୍ଦୀରେ ବଞ୍ଚିପାରିବେ ନାହିଁ। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱରେ ଗ୍ଲେସିୟର୍ ପରିମାଣ ୬,୫୪୨ ବିଲିୟନ ଟନ୍ ହ୍ରାସ ପାଇଛି, ଯାହା କି ବାର୍ଷିକ ହାରାହାରି ୨୭୩ ବିଲିୟନ ଟନ୍ ବରଫ ନଷ୍ଟ ହେଉଛି ବୋଲି ମନିଟରିଂ ସର୍ଭିସ୍ ରିପୋର୍ଟ କରିଛି। ଏହା ସମଗ୍ର ବିଶ୍ୱ ଜନସଂଖ୍ୟା ଦୈନିକ ମୁଣ୍ଡ ପିଛା ତିନି ଲିଟର ହିସାବରେ ୩୦ ବର୍ଷରେ ବ୍ୟବହାର କରୁଥିବା ପାଣି ସହିତ ସମାନ। ଫେବ୍ରୁଆରି ୨୦୨୫ରେ ନେଚରରେ ପ୍ରକାଶିତ ଏକ ଗବେଷଣା ପତ୍ରକୁ ଉଦାହରଣ ଦେଇ ଡବ୍ଲ୍ୟୁଏମ୍ଓ କହିଛି ଯେ ୨୦୦୦ ପରଠାରୁ ଗ୍ଲୋବାଲ ଗ୍ଲେସିୟର୍ ମାସ୍ କ୍ଷୟ ବୃଦ୍ଧି ପାଇବାରେ ଲାଗିଛି। ଜୁରିକ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ ୨୦୦୦ ମସିହାରୁ ବିଶ୍ୱରେ ଗ୍ଲେସିୟରଗୁଡ଼ିକ ସେମାନଙ୍କର ପ୍ରାୟ ୫% ବରଫ ହରାଇଛନ୍ତି। ଏହି ସମୟ ମଧ୍ୟରେ ଗ୍ଲେସିୟର ତରଳିବା ଯୋଗୁଁ ବିଶ୍ୱର ସମୁଦ୍ର ପତ୍ତନ ବୃଦ୍ଧି ପାଇଥିଲା। ପ୍ରତି ମିଲିମିଟର ସମୁଦ୍ର ପତ୍ତନ ବୃଦ୍ଧି ବାର୍ଷିକ ଅତିରିକ୍ତ ୨୦୦,୦୦୦ରୁ ୩୦୦,୦୦୦ ଲୋକଙ୍କୁ ବନ୍ୟାର ସମ୍ମୁଖୀନ କରିଥାଏ ବୋଲି ଜେମ୍ପ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/22/JEGXdL955fleL2As8LZg.jpg)