ଅଗଷ୍ଟରେ ଦେଶର ସଂକ୍ରମଣ ବିଶ୍ୱରେ ସର୍ବାଧିକ, ପ୍ରାୟ ୨୦ ଲକ୍ଷ ମାମଲା

ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଦେଶରେ ପ୍ରାୟ ୨୦ ଲକ୍ଷ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ମହାମାରୀ ଆରମ୍ଭ ହେବାପରଠାରୁ ଏଯାବତ୍‌ କୌଣସି ମାସରେ କୌଣସି ଦେଶର ସଂକ୍ରମଣ ମାମଲା ଏତେ ଅଧିକ ରହିନାହିଁ। ଦେଶର ଅଗଷ୍ଟ ସଂକ୍ରମଣ ବିଶ୍ବରେ ସର୍ବାଧିକ। ଅଗଷ୍ଟ ମାସରେ ଦେଶରେ କରୋନା ମୃତ୍ୟୁ ମଧ୍ୟ ବୃଦ୍ଧି ପାଇଛି। କେବଳ ଅଗଷ୍ଟରେ ୨୮ ହଜାର ୮୫୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତମାସର ମୃତ୍ୟୁସଂଖ୍ୟା ତୁଳନାରେ ଏହା ପ୍ରାୟ ୫୦ ପ୍ରତିଶତ ଅଧିକ। ଅଗଷ୍ଟରେ ଭାରତରେ ମୋଟ୍‌ ୧୯ ଲକ୍ଷ ୮୭ ହଜାର ୭୦୫ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ଏହା ଆମେରିକାର ଜୁଲାଇ ମାସର ସଂକ୍ରମଣଠାରୁ ମଧ୍ୟ ଅଧିକ। ଜୁଲାଇରେ ଆମେରିକାରେ ମୋଟ୍‌ ୧୯ ଲକ୍ଷ ୪ ହଜାର ୪୬୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଅନ୍ୟପକ୍ଷେ ଭାରତ ତୁଳନାରେ ଆମେରିକା ଏବଂ ବ୍ରାଜିଲ୍‌ରେ ଅଗଷ୍ଟ ମାସର ମୃତ୍ୟୁସଂଖ୍ୟା ଅଧିକ ରହିଛି। ଆମେରିକାରେ ଅଗଷ୍ଟ ୩୦ ସୁଦ୍ଧା ୩୧ ହଜାର ମୃତ୍ୟୁ ହୋଇଥିବାବେଳେ ବ୍ରାଜିଲ୍‌ରେ ଅଗଷ୍ଟରେ ୨୯ ହଜାର ୫୬୫ ଜଣଙ୍କ କରୋନ‌ାରେ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୯ ହଜାର ୯୨୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ସଂଖ୍ୟା‌ ୩୬ ଲକ୍ଷ ୯୧ ହଜାର ୧୬୬ରେ ପହଞ୍ଚିଛି। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୨୮ ଲକ୍ଷ ୩୯ ହଜାର ୮୮୨କୁ ବୃଦ୍ଧି ପାଇବା ସହ ଆରୋଗ୍ୟ ହାର ୭୬.୯୪ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୧୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୬୫ ହଜାର ୨୮୮କୁ ବୃଦ୍ଧି ପାଇଛି। କରୋନା ମୃତ୍ୟୁହାର ୧.୭୭ ପ୍ରତିଶତକୁ କମି ଆସିଛି। ଦେଶରେ ଏବେ ୭ ଲକ୍ଷ ୮୫ ହଜାର ୯୯୬ ସକ୍ରିୟ ମାମଲା ରହିଛି। ମୋଟ୍‌ ସଂକ୍ରମଣ ମାମଲାର ଏହା ୨୧.୧୯ ପ୍ରତିଶତ। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ମୋଟ୍‌ ୪ କୋଟି ୩୩ ଲକ୍ଷ ୨୪ ହଜାର ୮୩୪ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର