ମହାବଳିପୁରମରେ ଦେଶର ସର୍ବାଧିକ ବର୍ଷା, ୨ୟ ସ୍ଥାନରେ ଓଡ଼ିଶାର ବୌଦ୍ଧ

ସର୍ବାଧିକ ବର୍ଷା ହୋଇଥିବା ଦେଶର ୧୦ଟି ସ୍ଥାନ ମଧ୍ୟରୁ ଓଡ଼ିଶାର ୫

ଭୁବନେଶ୍ବର : ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟରେ ପୁଣି ସକ୍ରିୟ ହୋଇଯାଇଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏପରିକି ଓଡ଼ିଶାର କେତେକ ସ୍ଥାନରେ ଏତେ ବର୍ଷା ହୋଇଛି ଯେ ସେଗୁଡ଼ିକ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ହୋଇଥିବା ଦେଶର ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ସ୍ଥାନ ପାଇଛନ୍ତି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଏକ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା (ଶୁକ୍ରବାର ସକାଳ ୮ଟା ସୁଦ୍ଧା)ରେ ସର୍ବାଧିକ ବର୍ଷା ହୋଇଥିବା ଦେଶର ୧୦ଟି ସ୍ଥାନ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୫ଟି ସ୍ଥାନ ରହିଛି । ସେଗୁଡ଼ିକ ହେଉଛି ବୌଦ୍ଧ, ଚାନ୍ଦବାଲି, ପୁରୀ, ସୋନପୁର ଓ ପାରାଦୀପ ।

ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ରର ମହାବଳିପୁରମ୍ । ଏଠାରେ ଗତ ୨୪ ଘଣ୍ଟାରେ ରେକର୍ଡ ୫୯୪ ମିଲିମିଟର ବର୍ଷା ହୋଇଛି । ଏହା ତଳକୁ ୨ୟ ସ୍ଥାନରେ ରହିଛି ଓଡ଼ିଶାର ବୌଦ୍ଧ । ଏଠାରେ ୧୭୭ ମିଲିମିଟର ବର୍ଷା ହୋଇଛି । ୩ୟ ସ୍ଥାନରେ ରହିଛି ଓଡ଼ିଶାର ଚାନ୍ଦବାଲି । ଏଠାରେ ୧୫୬ ମିଲିମିଟର ବର୍ଷା ହୋଇଛି ।

ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ଧରି ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ସ୍କାଏମେଟ ପୂର୍ବାନୁମାନ କରିଛନ୍ତି ।

ସମ୍ବନ୍ଧିତ ଖବର