ଅଜଗରର ଅଣ୍ଡା ଫୁଟାଇବା ପାଇଁ ୫୪ ଦିନ ଧରି ବନ୍ଦ ରହିଲା ହାଇୱେ କାମ

ତିରୁବନନ୍ତପୁରମ: ସାପର ଅଣ୍ଡା ଫୁଟାଇବା ପାଇଁ ବନ୍ଦ ରହିଲା ଜାତୀୟ ରାଜପଥ କାମ | କଥାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ସୂଚନା ମୁତାବକ କେରଳର କାସାରାଗୋଡରେ ଏକ ଚାରି ଲେନ ବିଶିଷ୍ଟ ରାଜପଥ ନିର୍ମାଣ କରୁଛି ୟୁରାରାଙ୍ଗାଲ ଲେବର କଣ୍ଟ୍ରାକ୍ଟ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ ନାମକ ସଂସ୍ଥା | ତେବେ ମାର୍ଚ୍ଚ ୨୦ ତାରିଖରେ ଯେତେବେଳେ ଶ୍ରମିକମାନେ ଜାତୀୟ ରାଜପଥ ୬୬ର ସମ୍ପ୍ରସାରଣ ପାଇଁ ମାଟି ଖୋଳୁଥିଲେ ସେତେବେଳେ ଏକ ଅଜଗର ସାପ ଦେଖିଥିଲେ | ଏହା ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ | ଏହା ପରେ ବନ ବିଭାଗ ପକ୍ଷରୁ ଜଣେ ସାମାଜିକ କର୍ମୀ ବା ସ୍ନେକ ହେଲ୍ପଲାଇନ ସଦସ୍ୟ ଅମିନଙ୍କୁ ଖବର ଦିଆଯାଇଥିଲା | ଅମିନ ଯେତେବେଳେ ଆସି ସ୍ଥାନ ନିରୀକ୍ଷଣ କଲେ ସେ ଦେଖିଥିଲେ ଯେ ଏକ ଗାତରେ ବହୁତ ଅଣ୍ଡା ଥିଲା ଓ ଅଜଗର ସାପ ଏହାକୁ ଘୋଡାଇ ବସିରହିଥିଲା | ଏହା ପରେ ଅମିନ ଯେତେବେଳେ ବନ ବିଭାଗ ସହ ଆଲୋଚନା କଲେ ଜଣାପଡିଲା ଯେ ଜାତୀୟ ରାଜପଥ ସମ୍ପ୍ରସାରଣ ହେଲେ ଗାତ ପୋତିହୋଇଯିବ |

ସେହିପରି ସାପକୁ ସେଠାରୁ ହଟାଇ ଅଣ୍ଡାଗୁଡିକୁ ନିଆଯାଇ କୁତ୍ରିମ ଢଙ୍ଗରେ ଫୁଟାଇବାକୁ ମଧ୍ୟ କିଛି ଲୋକ ପରାମର୍ଶ ଦେଇଥିଲେ | କିନ୍ତୁ ଅମିନ ଜାଣିଥିଲେ ଯେ ଅଣ୍ଡାଗୁଡିକୁ ନେବା ଦ୍ୱାରା ଏହାର କ୍ଷତି ହେବ | କାରଣ ମା ଅଜଗରର ଗରମ ବିନା ଅଣ୍ଡାଗୁଡିକ ଫୁଟିବ ନାହିଁ | କାରଣ ଅଜଗର ଅଣ୍ଡାକୁ ଫୁଟାଇବା ପାଇଁ ୨୭ ଡିଗ୍ରି ସେଲ୍ସିୟସରୁ ୩୧ଡିଗ୍ରି ସେଲ୍ସିୟସ ତାପମାତ୍ରା ଜରୁରୀ ହୋଇଥାଏ | ତାପମାତ୍ରା ବୃଦ୍ଧି ଦ୍ୱାରା ମୃତ ଛୁଆ ଜନ୍ମହେବାର ଅନେକ ନଜିର ଥିବାରୁ ଏଭଳି ନ କରିବାକୁ ଅମିନ ମନସ୍ଥ କରିଥିଲେ | ଏହା ପରେ ବନ ବିଭାଗ ଠିକା ସଂସ୍ଥା ସହ ଆଲୋଚନା କରିଥିଲା ଓ ଠିକା ସଂସ୍ଥା କିଛିଦିନ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା |

ଅମିନ ଦିନକୁ ଥରେ କିମ୍ବା ଦୁଇଥର ସେହି ସ୍ଥାନକୁ ଯାଇ ସାପ ଏବଂ ଅଣ୍ଡାର ଦେଖାଶୁଣା କରୁଥିଲେ | ଶେଷରେ ୫୪ ଦିନ ପରେ ଅଣ୍ଡାରୁ ଛୁଆମାନେ ବାହାରିଥିଲେ | ଆଉ ଏହି ୫୪ ଦିନ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଥିଲା | ଅମିନ କହିଛନ୍ତି ଯେ ସମୁଦାୟ ୨୪ଟି ଅଣ୍ଡାରୁ ଛୁଆ ବାହାରିଥିବାବେଳେ ସେମାନଙ୍କୁ ଜଙ୍ଗଲରେ ଛାଡି଼ଦିଆଯାଇଛି | ତେବେ ରାସ୍ତା କାମ ବନ୍ଦ ରଖି ମା ଅଜଗର ଓ ଶାବକମାନଙ୍କୁ ବଂଚାଇଥିବାରୁ ଏବେ ସମସ୍ତେ ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର