ହିଜାବ ମାମଲା: ସୁପ୍ରିମ୍‌କୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଯେଉଁ ଆବେଦନ କରାଯାଇଥିଲା, ଗୁରୁବାର କୋର୍ଟ ତା’ ଉପରେ ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍ ହେମନ୍ତ ଗୁପ୍ତ ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ରାଜ୍ୟ ସରକାର, ଶିକ୍ଷକ, ଆବେଦନକାରୀ ସବୁ ପକ୍ଷର ଯୁକ୍ତି ଶୁଣିଥିଲେ। କେତେକ ଆବେଦନକାରୀଙ୍କ ଓକିଲ ଦୁଷ୍ୟନ୍ତ ଡାଭେ କହିଥିଲେ ଯେ ବିଶ୍ବାସୀମାନଙ୍କ ପାଇଁ ହିଜାବ ଜରୁରି ଏବଂ ଯେଉଁମାନଙ୍କର ଇସଲାମରେ ବିଶ୍ବାସ ନାହିଁ ସେମାନଙ୍କ ପାଇଁ ଜରୁରି ନୁହେଁ। ଆଉ କେତେକ ଆବେଦନକାରୀଙ୍କ ତରଫରୁ ଓକିଲ ହୁଜେଫା ଅହମଦି କହିଥିଲେ ଯେ ପିଏଫ୍‌ଆଇ ପ୍ରସଙ୍ଗରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇ ନ ଥିଲା ଏବଂ ଏବେ ଏ ପ୍ରସଙ୍ଗ ଆସୁଛି କାହିଁକି?

କର୍ଣ୍ଣାଟକ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ୨୦୨୧ ପର୍ଯ୍ୟନ୍ତ କୌଣସି ଝିଅପିଲା ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ। ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। ଏହାପରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ତରଫରୁ ସୋସିଆଲ ମିଡ଼ିଆରେ ଗୋଟାଏ ଆନ୍ଦୋଳନ ଚାଲିଲା, ଯାହା ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ସଂଗଠନ ଝିଅପିଲାଙ୍କୁ ହିଜାବ ପିନ୍ଧିବା ପାଇଁ ମତେଇଲା। ତେଣୁ ହିଜାବ ପିନ୍ଧିବା ଏକ ସ୍ବତଃସ୍ଫୂର୍ତ୍ତ କାର୍ଯ୍ୟ ନ ଥିଲା, ଏହା ଥିଲା ଏକ ବିରାଟ ଷଡ଼୍‌ଯନ୍ତ୍ରର ଅଂଶ, ପିଲାମ‌ାନେ ଯାହାର ଶିକାର ହୋଇଛନ୍ତି। ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ହାଇକୋର୍ଟଙ୍କ ରାୟରେ ପିଏଫ୍‌ଆଇ ଷଡ଼୍‌ଯନ୍ତ୍ର ପ୍ରସଙ୍ଗ ନାହିଁ, ଏଥିରେ କୁହାଯାଇଛି ଯେ ହିଜାବ ପିନ୍ଧିବା ପରି ଧାର୍ମିକ ଅଭ୍ୟାସ ପାଳନ କରିବା ଦ୍ବାରା ଏକତା ଓ ସମାନତା ବ୍ୟାହତ ହୋଇଥାଏ।

ଡାଭେ କହିଥିଲେ ଯେ ରାଜ୍ୟ ଶିକ୍ଷା ବିଭାଗର ୨୦୨୧-୨୨ ମାର୍ଗଦର୍ଶିକାରେ ୟୁନିଫର୍ମକୁ ବାଧ୍ୟତାମୂଳକ କରାଯାଇ ନାହିଁ। ତେଣୁ କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ଫେବ୍ରୁଆରି ୫ର ରାୟରେ ଉକ୍ତ ମାର୍ଗଦର୍ଶିକାକୁ ବଦଳାଇ ପାରିବେ ନାହିଁ। କର୍ଣ୍ଣାଟକ ସରକାର ବୁଧବାର ସୁପ୍ରିମ୍‌କୋର୍ଟରେ କହିଥିଲେ ଯେ ସ୍କୁଲ ବା କଲେଜ ପରିସରରେ ହିଜାବ ପିନ୍ଧିବା ମନା ନାହିଁ କିନ୍ତୁ ଏହାକୁ ପିନ୍ଧି ଶ୍ରେଣୀଗୃହକୁ ଯିବା ମନା ଅଛି।

ସମ୍ବନ୍ଧିତ ଖବର