କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲାର ଶୁଣାଣି; ୟୁନିଫର୍ମ ନିୟମ ପାଳନ କରିବାକୁ ପଡ଼ିବ: ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲାର ଶୁଣାଣି ଜାରି ରହିଛି। କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଋତୁ ରାଜ ଅୱସ୍ଥି କହିଛନ୍ତି, ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପିନ୍ଧିବା ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଯେଉଁଠି ୟୁନିଫର୍ମ ବ୍ୟବସ୍ଥା ରହିଛି ଛାତ୍ରଛାତ୍ରୀମାନେ ତାହା ପାଳନ କରିବା ଉଚିତ୍‌ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ହାଇକୋର୍ଟ ଆଜି ସ୍ପଷ୍ଟ କରି କହିଛନ୍ତି ଯେ, କର୍ଣ୍ଣାଟକ ସ୍କୁଲ୍‌ ଏବଂ କଲେଜରେ ନିଷିଦ୍ଧ କରାଯାଇଥିବା ହିଜାବ ଏବଂ ଗେରୁଆ ସ୍କାର୍ଫ କେବଳ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ। ଶିକ୍ଷକଙ୍କ କ୍ଷେତ୍ରରେ ଏହା ଲାଗୁ ହେବନି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କ ସହ କିଛି ଶିକ୍ଷକଙ୍କୁ ବି ସ୍କୁଲ୍‌ କଲେଜରେ ପ୍ରବେଶ ଅନୁମତି ମିଳିଲାନି। ଜଣେ ଆବେଦନକାରୀଙ୍କ ପକ୍ଷରୁ ଆଜି କୋର୍ଟରେ ପକ୍ଷ ରଖିଥିବା ଜଣେ ଓକିଲ ମହମ୍ମଦ ତାହିର କହିଛନ୍ତି, ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କୁ ବି ସ୍କୁଲ୍‌ ଗେଟ୍‌ ନିକଟରେ ଅଟକାଯାଉଛି। ଏଥିରେ ସ୍ପଷ୍ଟୀକରଣ ରଖି ମୁଖ୍ୟ ବିଚାରପତି କହିଥିଲେ, କୋର୍ଟଙ୍କ ଅନ୍ତରୀଣ ରାୟ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ। ଶିକ୍ଷକଙ୍କ କ୍ଷେତ୍ରରେ ଏହା ଲାଗୁ ହେବନି।

ସମ୍ବନ୍ଧିତ ଖବର