ସୁପ୍ରିମକୋର୍ଟରେ ହିଜାବ ମାମଲା: କୋର୍ଟ ଠିକ୍‌ ସମୟରେ ହସ୍ତକ୍ଷେପ କରିବେ, ହିଜାବକୁ ଜାତୀୟ ପ୍ରସଙ୍ଗ ନକରିବାକୁ ତାଗିଦ

୩ ସହରରେ ସୁରକ୍ଷାବାହିନୀର ଫ୍ଲାଗ୍‌ ମାର୍ଚ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ହିଜାବ ମାମଲାରେ ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ହିଜାବ ବିବାଦକୁ ଏକ ଜାତୀୟ ପ୍ରସଙ୍ଗରେ ପରିଣତ କରନାହିଁ। ଆମେ ସଠିକ୍‌ ସମୟରେ ଏହି ମାମଲାରେ ହସ୍ତକ୍ଷେପ କରିବୁ। ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି, ହିଜାବ ବିବାଦ ଥମିବା ଆବଶ୍ୟକ ଏବଂ ଏହାକୁ ଏକ ବଡ଼ ପ୍ରସଙ୍ଗରେ ପରିଣତ କରିବାକୁ କେହି ପ୍ରୟାସ କରିବା ଉଚିତ ନୁହେଁ। କ’ଣ ଘଟୁଛି ତାହା ଆମେ ଜାଣିଛୁ। ମାମଲାକୁ ଜାତୀୟ ସ୍ତରକୁ ଆଣି ବିବାଦ ବଢ଼ାଇବା ଠିକ୍‌ ହେବାନହିଁ। ଯଦି କିଛି ଭୁଲ୍‌ ଥାଏ ତେବେ ଆମେ ହସ୍ତକ୍ଷେପ କରିବୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଉଲ୍ଲେଖ‌ଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟର ବୃହତ୍ତର ଖଣ୍ଡପୀଠରେ ଗତକାଲି ହିଜାବ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରିବା ସହ ଅନ୍ତରୀଣ ରାୟ ଦେଇ କହିଥିଲେ ଯେ ମାମଲା ବିଚାରାଧୀନ ଥିବ‌ା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଧର୍ମକୁ ନେଇ କିଛି ପୋଷାକ ପିନ୍ଧି ପାରିବେନି। ଏଥିସହ ରାଜ୍ୟରେ ସମସ୍ତ ସ୍କୁଲ୍‌ କଲେଜ ପୁନର୍ବାର ଖୋଲିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଜଣ ଛାତ୍ରୀ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟା‌ଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସଠିକ୍‌ ସମୟ‌ରେ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକ ହାଇକୋର୍ଟ ଆସନ୍ତା ସୋମବାର ଦିନ ପୁଣିଥରେ ହିଜାବ ମାମଲାର ଶୁଣାଣି କରିବେ। କର୍ଣ୍ଣାଟକ ଉଡ଼ୁପି ଜିଲ୍ଳାର ପିୟୁ କଲେଜରେ ହିଜାବକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଅନ୍ୟ ଜିଲ୍ଲାମାନଙ୍କୁ ବ୍ୟାପିଛି।

୩ ସହରରେ ସୁରକ୍ଷାବାହିନୀର ଫ୍ଲାଗ୍‌ ମାର୍ଚ
ବେଙ୍ଗାଲୁରୁ : କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ବଢ଼ୁଥିବାରୁ ଶାନ୍ତି ରକ୍ଷା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଶୁକ୍ରବାର ଦିନ ଶାନ୍ତି ରକ୍ଷା ପାଇଁ କର୍ଣ୍ଣାଟକର ୩ଟି ସହରରେ ଫ୍ଲାଗ୍‌ ମାର୍ଚ କରାଯାଇଛି। ସୁରକ୍ଷାକର୍ମୀମାନେ ଶୁକ୍ରବାର ଦିନ ଉଡ଼ୁପିରେ ଫ୍ଲାଗ୍‌ ମାର୍ଚ‌୍ କରିଛନ୍ତି। ରାଜ୍ୟରେ ସବୁ ପକ୍ଷ ଶାନ୍ତି ବଜାୟ ରଖିବାପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ମଧ୍ୟ ପୁଣି ଥରେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ସୋମବାରଠାରୁ ରାଜ୍ୟରେ ସ୍କୁଲ୍‌ ଖୋଲିବାପାଇଁ ନିଷ୍ପତ୍ତି ନେଇଛନ୍ତି। ପର୍ଯ୍ୟାୟ କ୍ରମେ କର୍ଣ୍ଣାଟକରେ ସ୍କୁଲ୍‌ ଏବଂ କଲେଜ ଖୋଲିବ। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ଉଡ଼ୁପିରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଛି। ମାମଲାର ଶୁଣାଣି ଏବେ କର୍ଣ୍ଣାଟକ ହାଇକୋର୍ଟରେ ଚାଲିଛି। ହାଇକୋର୍ଟ ଗତକାଲିଠାରୁ ଏହି ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। କୋର୍ଟ କହିଛନ୍ତି ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଧର୍ମକୁ ନେଇ କୌଣସି ପୋଷାକ ପିନ୍ଧି ପାରିବେନି। ତେବେ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରାଯାଇଛି।

ସମ୍ବନ୍ଧିତ ଖବର