କଲେଜ ପରିସରରେ ବଢ଼ୁଛି ଉତ୍ତେଜନା : ଧାର୍ମିକ ଧ୍ବନି ଦେଇ ଅଟକାଉ ଥିବା ଛାତ୍ରଗୋଷ୍ଠୀଙ୍କୁ ଛାତ୍ରୀ ଦେଲେ ଜବାବ, ଭିଡିଓ ହେଉଛି ଭାଇରାଲ୍

ବେଙ୍ଗାଲୁରୁ: କର୍ଣ୍ଣାଟକର କିଛି ମହାବିଦ୍ୟାଳୟରେ  ଧାର୍ମିକ ବିବାଦ ଉଗ୍ର ହେବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁସାରେ ସୋମବାର କୁଣ୍ଡାପୁରାର ଏକ ମହାବିଦ୍ୟାଳୟ ବାହାରେ ୨ ଅଭିଯୁକ୍ତଙ୍କଠାରୁ ଅସ୍ତ୍ରଶସ୍ତ୍ର ସହ ଜବତ ହୋଇଥିଲା। ଗୋଟିଏ ମହାବିଦ୍ୟାଳୟରେ ତ୍ରିରଙ୍ଗା  ସ୍ଥାନରେ ଅନ୍ୟ ପତାକା ଉଡାଇ ଦିଆ ଯାଇଥିଲା। ଧାର୍ମିକ ବିବାଦ ଏତେ ମାତ୍ରାରେ ବଢିଯାଇଛି ଯେ ଏବେ କେତେକ ମହାବିଦ୍ୟାଳୟ ବାହାରେ ପଥର ଫିଙ୍ଗାଫିଙ୍ଗି ମଧ୍ୟ ଚାଲିଛି। ଏ ମଧ୍ୟ‌ରେ ଜଣେ ଛାତ୍ରୀଙ୍କ ଭିଡିଓ  ଭାଇରାଲ୍ ହେବାରେ ଲାଗିଛି।

କର୍ଣ୍ଣାଟକର ପିଇଏସ୍ କଲେଜରେ ହିଜାବ ପିନ୍ଧି ଆସିଥିବା ଜଣେ ମୁସଲମାନ୍ ଛାତ୍ରୀଙ୍କୁ ବହୁ ସଂଖ୍ୟକ ଛାତ୍ର  ଜୟ ଶ୍ରୀରାମ ଧ୍ବନି ଦେଇ ଘେରିବାକୁ ପ୍ରୟାସ କରିଥିଲେ। ତେବେ ଛାତ୍ରୀ ଜଣକ ଡରି ନଯାଇ ଏହାର ପ୍ରତ୍ୟୁତ୍ତରରେ ଆଲ୍ଲା-ହୁ-ଆକବର ଧ୍ବନି ଦେଇଥିଲେ। ଏହାର ଭିଡିଓ ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇଛି । ଭିଡିଓରେ ଦେଖାଯାଉଛି, ହିଜାବ ପିନ୍ଧିଥିବା ଜଣେ ଛାତ୍ରୀ ନିଜ ସ୍କୁଟି ରଖିବାକୁ ଯାଉଥିଲେ। ଏହି ସମୟରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ କିଛି ଛାତ୍ର ମହାବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ। ଛାତ୍ରୀଜଣକ ସ୍କୁଟି ରଖିବା ପରେ ସିଧାସିଧା କଲେଜକୁ ଯାଇଥିଲେ  ଏହାପରେ ଆଲ୍ଲା-ହୁ-ଆକବର ଧ୍ବନି ଦେଇଥିଲେ।  ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା ଛାତ୍ରଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଛାତ୍ରୀ ଜଣକ ଭୟ କରି ନଥିଲେ।

କର୍ଣ୍ଣାଟକରେ ହିଜାବ ବିବାଦ ଜାନୁଆରିରେ ଆରମ୍ଭ ହୋଇଥିଲା। ଉଡୁପିର ସରକାରୀ ପିୟୁ ମହାବିଦ୍ୟାଳୟରେ ୬ଜଣ ମୁସଲମାନ୍ ଛାତ୍ରୀଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ଅନୁମତି ଦିଆଯାଇ ନଥିଲା। ନୂଆ ୟୁନିଫର୍ମ ନୀତି ଯୋଗୁଁ ହିଜାବକୁ ଅନୁମତି ଦିଆଯାଇ ନାହିଁ ବୋଲି ମହାବିଦ୍ୟାଳୟ ମ୍ୟାନେଜମେଣ୍ଟ ସ୍ପଷ୍ଟୀକରଣ ଦେଇଥିଲା। ଏହାପରେ କିଛି ଛାତ୍ରୀ କର୍ଣ୍ଣାଟକ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଛାତ୍ରୀଙ୍କ ଅନୁସାରେ ହିଜାବ ପିନ୍ଧିବାକୁ ଅନୁମତି ନଦେବା ସମ୍ଵିଧାନର ଅନୁଚ୍ଛେଦ ୧୪ ଓ ୨୫ ଅନୁଯାୟୀ ମୌଳିକ ଅଧିକାରର ଉଲ୍ଲଙ୍ଘନ।

ଶୁକ୍ରବାର କୁଣ୍ଡାପୁର ଭଣ୍ଡାରକର ମହାବିଦ୍ୟାଳୟର ଫାଟକ ପର୍ଯ୍ୟନ୍ତ ୪୦ ଜଣ ଝିଅ ହିଜାବ ପିନ୍ଧି ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ଅନୁମତି ମିଳି ନଥିଲା। ଅନ୍ୟପକ୍ଷରେ ବୈନ୍ଦୁରରେ କିଛି ହିନ୍ଦୁ ସଙ୍ଗଠନର ସଦସ୍ୟ ଦ୍ଵାଦଶ ଶ୍ରେଣୀର ହିନ୍ଦୁ ଛାତ୍ରଙ୍କୁ ମହାବିଦ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ବାଧ୍ୟତାମୂଳକ ଭାବେ ଗେରୁଆ ରଙ୍ଗର ଗାମୁଛା ତାଙ୍କ ବେକରେ ଗୁଡାଇ ମହାବିଦ୍ୟାଳୟକୁ ଛାଡିଥିଲେ।

ହିଜାବକୁ ନେଇ ବିବାଦ ବଢୁଥିବାରୁ କିଛି ମହାବିଦ୍ୟାଳୟରେ ପୁଲିସ ମୁତୟନ କରାଯାଇଛି। ଏପରି ବିବାଦ ୩ ବର୍ଷ ଆଗରୁ ମଧ୍ୟ ହୋଇଥିଲା। ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା କେହି ହିଜାବ ପିନ୍ଧି ମହାବିଦ୍ୟାଳୟ ଆସିବେ ନାହିଁ। ତେବେ କିଛି ଦିନ ହେଲା ମୁସଲମାନ୍ ଛାତ୍ରୀମାନେ ହିଜାବ ପିନ୍ଧି ଆସିବା ପରେ ହିନ୍ଦୁ ଛାତ୍ରମାନେ ନାରଙ୍ଗୀ ଗାମୁଛାଗୁଡାଇ ମହାବିଦ୍ୟାଳୟକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର