କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ: ଧର୍ମ ପାଇଁ ହିଜାବ ଜରୁରୀ ନୁହେଁ

ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟ ହିଜାବ ବିବାଦରେ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ହିଜାବ ଇସ୍‌ଲାମ ଧର୍ମର ଅତ୍ୟାବଶ୍ୟକ ଅଂଶ ନୁହେଁ ଏବଂ ସ୍କୁଲ୍‌ ୟୁନିଫର୍ମ କାହାର ଅଧିକାର ଉଲ୍ଲଂଘନ କରେନାହିଁ। ଛାତ୍ରମାନେ ସ୍କୁଲ୍‌ ୟୁନିଫର୍ମ ସଂକ୍ରାନ୍ତ ନିୟମ ମାନିବାକୁ ମନା କରିପାରିବେ ନାହିଁ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ଥିଙ୍କ ନେତୃତ୍ବାଧୀନ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି। ଏହା ସହିତ ହିଜାବ ସଂକ୍ରାନ୍ତ ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ମୁସ୍‌ଲିମ ମହିଳାଙ୍କ ଦ୍ବାରା ହିଜାବ ପରିଧାନ ଇସ୍‌ଲାମ ଧର୍ମର ଏକ ଅତ୍ୟାବଶ୍ୟକ ପ୍ରଥା କିମ୍ବା ଅଭ୍ୟାସ ନୁହେଁ। ସ୍କୁଲ ୟୁନିଫର୍ମ ଶିକ୍ଷାନୁଷ୍ଠାନର ଗରିମା, ଶୃଙ୍ଖଳା ଏବଂ ସମାନତା ‌ ଦିଗରେ ଏକ ଉଚିତ ବ୍ୟବସ୍ଥା ଏବଂ ଏହା ସାମ୍ବିଧାନିକ ଦୃଷ୍ଟିରୁ ଗ୍ରହଣୀୟ। ଛାତ୍ରମାନେ ଏହାକୁ ବିରୋଧ କରିପାରିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଉଡୁପିର ବିଭିନ୍ନ କଲେଜର ଛାତ୍ରୀମାନେ ଶ୍ରେଣୀଗୃହରେ ହିଜାବ ପିନ୍ଧିବା ଅନୁମତି ଦେବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏ ସଂକ୍ରାନ୍ତ ସମସ୍ତ ଆବେଦନକୁ ଖାରଜ କରି କହିଥିଲେ ଯେ ସ୍କୁଲ୍‌ ୟୁନିଫର୍ମ ନିର୍ଦ୍ଧାରଣ ଉପରେ ଛାତ୍ରଛାତ୍ରୀମାନେ ଆପତ୍ତି ଉଠାଇ ପାରିବେ ନାହିଁ। ଏ ନେଇ ସରକାରଙ୍କ ପାଖରେ ଆଦେଶ ଜାରି କରିବାର କ୍ଷମତା ରହିଛି ବୋଲି ଖଣ୍ଡପୀଠ କହିଥିଲେ।

କର୍ଣ୍ଣାଟକ ହାଇକୋର୍ଟ ରାୟକୁ ସ୍ବାଗତ କରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଆମେ ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରୁଛୁ। ସମସ୍ତେ ଶାନ୍ତି ବଜାୟ ରଖି କୋର୍ଟ ରାୟକୁ ସ୍ବାଗତ କରି ଆଗକୁ ବଢ଼ିବା ଉଚିତ ବୋଲି ସେ କହିଛନ୍ତି। ଶିକ୍ଷାନୁଷ୍ଠାନରେ ସମସ୍ତେ ସମତା ଭାବ ନେଇ ଅଧ୍ୟୟନ କରିବାକୁ ଯୋଶୀ କହିଛନ୍ତି। ତେବେ ହାଇକୋର୍ଟ ରାୟକୁ ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି ବିରୋଧ କରିଛନ୍ତି। ହାଇକୋର୍ଟ ରାୟ ସହିତ ମୁଁ ସଂପୂର୍ଣ୍ଣ ଅସହମତ ଏବଂ ଆବେଦନକାରୀ ଏହି ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟ ଯିବେ ବୋଲି ସେ କହିଛନ୍ତି। କେବଳ ଏଆଇଏମ୍‌ପିଏଲ୍‌ବି ନୁହେଁ ଅନ୍ୟ ଧାର୍ମିକ ସଂଗଠନ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବେ ବୋଲି ଅୱେସି କହିଛନ୍ତି। ବିଜେପି ହାଇକୋର୍ଟ ରାୟକୁ ସ୍ବାଗତ କରି କହିଛି, ପ୍ରତ୍ୟେକ ଛାତ୍ରଛାତ୍ରୀ ୟୁନିଫର୍ମକୁ ସମ୍ମାନ ଦେବାକୁ ପଡ଼ିବ ଏବଂ ଏ ଦିଗରେ ହାଇକୋର୍ଟ ରାୟ କାର୍ଯ୍ୟକାରୀ ହେବା ହିଁ ସଠିକ୍‌ ପନ୍ଥା ।

ଅନେକ ମୁସ୍‌ଲିମ ନେତା ହାଇକୋର୍ଟ ରାୟକୁ ବିରୋଧ କରି ବୟାନ ଜାରି କରିଥିବା ବେଳେ ଆଜି ଅପରାହ୍ନରେ ହାଇକୋର୍ଟ ରାୟକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରାଯାଇଛି । ହାଇକୋର୍ଟ ରାୟ ଉପରେ ରହିତାଦେଶ ଜାରି କରିବାକୁ ଜଣେ ମୁସ୍‌ଲିମ ଛାତ୍ରୀ ନିବା ନାଜଙ୍କ ପକ୍ଷରୁ ଆବେଦନ ଦାଖଲ କରାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ରାୟକୁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ଓମାର ଅବଦୁଲ୍ଲା ବିରୋଧ କରିଛନ୍ତି। ଏହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର