ବ୍ୟାପୁଛି ହିଜାବ ବିବାଦ; ଦୁଇ ସପ୍ତାହ ପାଇଁ ଆନ୍ଦୋଳନ ନିଷିଦ୍ଧ, ସ୍କୁଲ୍ କଲେଜ୍‌ ନିକଟରେ ୧୪୪ ଜାରି

ବେଙ୍ଗାଲୁରୁ : କର୍ଣ୍ଣାଟକରେ ହିଜାବ ଏବଂ ଗେରୁଆ ସ୍କାର୍ଭକୁ ନେଇ ବିବାଦ ଘନେଇବାରେ ଲାଗିଛି। ବୁଧବାର ଦିନ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ‌ନେଇ ହଟ୍ଟଗୋଳ ହୋଇଛି। ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ନେଉଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ୟାପୁଥିବାରୁ ସରକାର ଆଜି କେତେକ କଟକଣା ଜାରି କରିଛନ୍ତି।

ବେଙ୍ଗାଲୁରୁ ପୁଲିସ ସମସ୍ତ ଶିକ୍ଷାନୁଷ୍ଠାନ ନିକଟରେ ଆନ୍ଦୋଳନ ଉପରେ କଟକଣା ଜାରି କରିଛନ୍ତି। ସ୍କୁଲ, କଲେଜ୍‌ ପରିସରର ୨୦୦ ମିଟର ମଧ୍ୟରେ ଆନ୍ଦୋଳନକୁ ନିଷିଦ୍ଧ କରାଯାଇଛି। ଫେବ୍ରୁଆରି ୨୨ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ନିକଟରେ ୧୪୪ ଜାରି ହୋଇଛି। ଫେବ୍ରୁଆରି ୯ରୁ ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ୧୪୪ ଜାରି ହେବ। ହିଜାବକୁ ବିରୋଧ କରି ଉଡ଼ୁପିର ପିୟୁ କଲେଜରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଅନ୍ୟ କଲେଜମାନଙ୍କ‌ରେ ପହଞ୍ଚିଲାଣି। ବେଙ୍ଗାଲୁରୁରେ ବଡ଼ ଧରଣର ଆନ୍ଦୋଳନ ଆଶଙ୍କା କରି ‌ବେଙ୍ଗାଲୁରୁ ପୁଲିସ କମିସନର କମଳ ପନ୍ତ ସହରରେ ସମସ୍ତ ସ୍କୁଲ୍‌ କଲେଜ୍‌ ନିକଟରେ ୧୪୪ ଜାରି କରିଛନ୍ତି। ଏହି ବିବାଦକୁ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ଗଣ୍ଡ‌ଗୋଳରେ ଜଡ଼ିତ ୧୧ ଜଣଙ୍କୁ ଗିରଫ କରାଯାଇଛି।

ଇତିମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟରେ ଏହି ମାମଲାର ବିଚାର ବୃହତ୍ତର ବେଞ୍ଚ କରିବ। ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁ ରାଜ ଅୱସ୍ଥିଙ୍କ ନିକଟରୁ ଏହି ମାମଲା ସ୍ଥାନାନ୍ତର କରାଯାଇଛି। ଶ୍ରେଣୀଗୃହରେ ହିଜାବକୁ ବିରୋଧ କରି ହୋଇଥିବା ଆବେଦନ ମାମଲାରେ ଗତକାଲିଠାରୁ ହାଇକୋର୍ଟରେ ଶୁଣାଣି ଆରମ୍ଭ ‌ହୋଇଛି। ଜଷ୍ଟିସ୍‌ କ୍ରୀଷ୍ଣା ଏସ୍‌ ଦୀକ୍ଷିତ ଏହି ମାମଲାରେ ଶୁଣାଣି ଆରମ୍ଭ କରିଥି‌ଲେ। ଆଜି ଏହି ମାମଲାର ଶୁଣାଣିକୁ ବୃହତ୍ତର ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି।

ଇତିମଧ୍ୟରେ ଏସିଏଫ୍‌ଆଇ ଅଭିଯୋଗ କରିଛି ଯେ ଏବିଭିପି ଛାତ୍ରମାନଙ୍କୁ ଗେରୁଆ ସାଲ୍‌ ଯୋଗାଉଛି ଏବଂ ଆନ୍ଦୋଳନ ଓ ହିଂସା ଘଟାଇବାପାଇଁ ଏହା ଛାତ୍ରମାନଙ୍କୁ ଉତ୍ତେଜିତ କରୁଛି। ରାଜ୍ୟରେ ବ୍ୟାପିଥିବା ହିଂସା ପାଇଁ ଏବିଭିପି, ବିଜେପି ଏବଂ ଅନ୍ୟ ଦକ୍ଷିଣପନ୍ଥୀ ଅନୁଷ୍ଠାନ ଦାୟୀ ବୋଲି ସଂଗଠନ କହିଛି।

ସମ୍ବନ୍ଧିତ ଖବର