ନୂଆଦିଲ୍ଲୀ: ହିଜାବ୍, ବୁର୍ଖା ଅଥବା ନିକାବ୍ ଉତ୍ପୀଡ଼ନର ସଙ୍କେତ ବୋଲି ଏକ ଜାତୀୟସ୍ତରୀୟ ଟେଲିଭିଜନ୍ରେ ସାକ୍ଷାତ୍କାର ବେଳେ ବାଂଲାଦେଶୀ ଲେଖିକା ତସ୍ଲୀମା ନାସ୍ରୀନ୍ କହିଛନ୍ତି।
ସ୍କୁଲ୍ ଓ କଲେଜ୍ ନିମନ୍ତେ ପ୍ରସ୍ତାବିତ ‘ୟୁନିଫର୍ମ ଡ୍ରେସ୍ କୋଡ୍’ ବିଷୟରେ କହିବାକୁ ଯାଇ ତସ୍ଲୀମା କହିଛନ୍ତି, ମୋର ମନେହୁଏ ଶିକ୍ଷା ଅଧିକାର ଧର୍ମ ଅଧିକାର ଭଳି। ହିଜାବ୍ର ଅତ୍ୟାବଶ୍ୟକତା ଉପରେ ମଧ୍ୟ ସେ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି, ହିଜାବ୍ ଅତ୍ୟାବଶ୍ୟକ ବୋଲି କେତେକ ସଂଖ୍ୟାଲଘୁ ବିଚାର କରୁଥିବା ବେଳେ ଆଉ କେତେକ ଅନାବଶ୍ୟକ ବୋଲି ବିଚାର କରୁଛନ୍ତି। କିନ୍ତୁ, ୭ମ ଶତାବ୍ଦୀରେ କେତେକ ନାରୀ-ବିରୋଧୀ ହିଜାବ୍ ପ୍ରଚଳନ କରିଥିଲେ। କାରଣ, ସେ ସମୟରେ ନାରୀମାନଙ୍କୁ ଯୌନ ସାମଗ୍ରୀରୂପେ ବିବେଚନା କରାଯାଉଥିଲା। ସେମାନଙ୍କର ମନେହେଉଥିଲା, ନାରୀମାନଙ୍କୁ ଦେଖିଲେ ପୁରୁଷମାନଙ୍କର ଯୌନଉଦ୍ଦୀପନା ଜାଗ୍ରତ ହେବ। ସେହି କାରଣରୁ ନାରୀମାନେ ହିଜାବ୍ ଅଥବା ବୁର୍ଖା ପିନ୍ଧିବେ। ସେମାନେ ପୁରୁଷମାନଙ୍କ ଦୃଷ୍ଟିରୁ ବର୍ତ୍ତି ରହିବା କଥା।
ସେ ଆହୁରି ମଧ୍ୟ କହିଛନ୍ତି, କିନ୍ତୁ, ୨୧ଶ ଶତାବ୍ଦୀର ଏଇ ଆଧୁନିକ ସମାଜରେ ଆମେ ଜାଣନ୍ତି ଯେ, ନାରୀମାନେ ମଧ୍ୟ ପୁରୁଷମାନଙ୍କ ପରି ମାନବଜାତି। ତେଣୁ, ହିଜାବ୍, ନିକବ୍ ବା ବୁର୍ଖା ହେଉଛି ଉତ୍ପୀଡ଼ନର ସଙ୍କେତ। ମୋ ବିଚାରରେ ବୁର୍ଖା ମହିଳାମାନଙ୍କ ଅସ୍ତିତ୍ବକୁ କବେଳ ଗୁପ୍ତାଙ୍ଗ ମଧ୍ୟରେ ସୀମାବଦ୍ଧ କରି ରଖୁଛି। ହିଜାବ୍ କୁହ କି, ନିକାବ୍ କୁହ ଅଥବା ବୁର୍ଖା ଉଭୟ ନାରୀ ଓ ପୁରୁଷମାନଙ୍କ ପାଇଁ ଅପମାନଜନକ।
ଧର୍ମ ଅପେକ୍ଷା ଶିକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଗୁରୁତ୍ବାରୋପ କରି କହିବା ସହ ତସ୍ଲୀମା କହିଛନ୍ତି, ଧର୍ମନିରପେକ୍ଷ ସମାଜର ଶିକ୍ଷାନୁଷ୍ଠାନରେ ଧର୍ମନିରପେକ୍ଷ ‘ଡ୍ରେସ୍ କୋଡ୍’ ରହିବା ଉଚିତ। ଜଣେ ବ୍ୟକ୍ତିଙ୍କର ପରିଚୟ ତାଙ୍କର ଧାର୍ମିକ ପରିଚୟ ହେବା ଅନୁଚିତ।